କନକ ବ୍ୟୁରୋ: ରାଜ୍ୟରେ ବିତ୍ପାତ ଆଣିଛି ବର୍ଷା। ବେହାଲ୍ ହୋଇଛି କୋରାପୁଟ ଜିଲ୍ଲା। ଭାଙ୍ଗିଯାଇଛି ଘରଦ୍ବାର, ବୁଡ଼ିଯାଇଛି ଚାଷ ଜମି। ଗତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ବିରି ଓ କୋଲାବ ନଦୀରେ ବନ୍ୟା ପାଣି ଆସିବାରୁ ବୈପାରୀଗୁଡ଼ା, କୁନ୍ଦୁରା ଓ କୋଟପାଡ଼ ବ୍ଲକ ସିଧାସଳଖ ପ୍ରଭାବିତ ହୋଇଛି।

  • କୋରାପୁଟ ଜିଲ୍ଲାରେ ବର୍ଷା ବିତ୍ପାତ
  • ଭାଙ୍ଗିଲା ଘରଦ୍ୱାର, ଉଜୁଡ଼ିଲା ଫସଲ

କୋରାପୁଟ ଜିଲ୍ଲାରେ ବିତ୍ପାତ ଆଣିଛି ଲଗାଣ ବର୍ଷା। ରାସ୍ତା, ଘର, ଚାଷ ଜମି ଯୁଆଡେ ଦେଖିଲେ ଖାଲି ପାଣି ଆଉ ପାଣି। କୁନ୍ଦୁରା ବ୍ଲକ ଦିଗାପୁର ପଞ୍ଚାୟତରେ ଚାଷୀଙ୍କ ଫସଲରେ ପଶିଯାଇଛି ପାଣି। ଆଣ୍ଠୁଏ ପାଣିରେ ବୁଡ଼ି ରହିଛି ଏକର ଏକର ଚାଷ ଜମି। ରାସ୍ତାଘାଟ ବି ଦିଶୁନି।

କୋଲାବ ଓ ବିରି ନଦୀରେ ବନ୍ୟା ଜଳ ଆସିବା ଫଳରେ ପ୍ରଭାବିତ ହୋଇଛି ୩ଟି ବ୍ଳକ ବୈପାରୀଗୁଡ଼ା, କୁନ୍ଦୁରା ଓ କୋଟପାଡ଼। ଅନେକ ଗାଁ ଜଳମଗ୍ନ ହୋଇଛି। କୁନ୍ଦୁରା ବ୍ଲକ ଦିଗାପୁର ପଞ୍ଚାୟତର ନଡିଆଲପାଲି ବ୍ରିଜ୍ ଉପରେ ଚାଲୁଛି ୩ ଫୁଟର ପାଣି। ଫଳରେ ସଦର ମହକୁମାକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। କୁନ୍ଦୁରା ବ୍ଲକରେ ୨୫ରୁ ଅଧିକ ଘର ଭାଙ୍ଗିଛି। ପାଣିରେ ବତୁରି ଯାଇଛି ଘରେ ଥିବା ଧାନ ଏବଂ ଅନ୍ୟାନ୍ୟ ସାମଗ୍ରୀ।

ସେପଟେ କୁନ୍ଦୁରା ବ୍ଲକର ଦିଗାପୁର ପଞ୍ଚାୟତ ଅଫିସରେ ଅସ୍ଥାୟୀ ଆଶ୍ରୟସ୍ଥଳୀ କରି ବିପନ୍ନ ମାନଙ୍କୁ ରଖାଯାଇଛି। ପ୍ରଶାସନିକ ଅଧିକାରୀ ପହଞ୍ଚି ଚୁଡ଼ା ଓ ବିସ୍କୁଟ ଦେଇଥିବା ବେଳେ ରାତିରେ ରନ୍ଧା ଖାଦ୍ୟ ଦିଆଯିବ।