କନକ ବ୍ୟୁରୋ : ମୌସୁମୀ ସମୟରେ ଯାହା ହୋଇନଥିଲା, ମୌସୁମୀ ଫେରିବା ବେଳକୁ ତାହା ହୋଇଛି । ଲଘୁଚାପ ପ୍ରଭାବରେ ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ବିତ୍ପାତ ଲାଗି ରହିଛି । ଆଗକୁ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି । ସେପ୍ଟେମ୍ବର ମାସରେ ପାଣିପାଗର ଏଭଳି ଆକଳନ ଲୋକଙ୍କ ଚିନ୍ତା ବଢ଼ାଇଛି । ଲଗାଣ ବର୍ଷା ଯୋଗୁଁ ସମ୍ବଲପୁର ସହରରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ରାସ୍ତା ଉପରେ ଲହଡି ଭାଂଗୁଛି ଆଣ୍ଠୁଏ ଉଚ୍ଚର ପାଣି । ଘର ଭିତରେ ବି ପାଣି ପଶି ଯାଇଛି । ଅଇଁଠାପାଲି, ଏସ୍‌ଆର୍‌ଆଇଟି କଲୋନି, ଦାନୀପାଲି, ଏନଗୁହାଲାଇନ ଆଦି ସ୍ଥାନରେ ମଧ୍ୟ ସମାନ ଅବସ୍ଥା ।

Advertisment

ବଲାଙ୍ଗୀର ଜିଲ୍ଲାରେ ବି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଂଚଳ ଜଳାର୍ଣ୍ଣବ ହୋଇଛି । ପାଟଣାଗଡ଼ର ବାଙ୍କୀ ବାହାଲ ସ୍କୁଲରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ନୂଆପଡ଼ା ଓ ବରଗଡ ଜିଲ୍ଲାରେ ମଧ୍ୟ ବର୍ଷା ଲାଗି ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ବର୍ତ୍ତମାନ ଉତ୍ତରର ଓଡିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି । ଏହା ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବାର ସମ୍ଭାବନା ରହିଛି । କିନ୍ତୁ ଆଜି ଆଉ ଏକ ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି । ପ୍ରଭାବରେ ଆସନ୍ତାକାଲି ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ।

ସେପ୍ଟେମ୍ବର ୨୭ ତାରିଖରେ ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ ।  ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଆଇଏମଡି । ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି  ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି। ପାଣିପାଗ ବିଭାଗର ଆକଳନ ପରେ ସତର୍କ ହୋଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ ।