କନକବ୍ୟୁରୋ : ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପ୍ରଭାବରେ ଆସନ୍ତାକାଲିଠୁ ବଢିବ ବର୍ଷାର ପ୍ରଭାବ । ଏହା ଘନୀଭୂତ ହୋଇ ୨୩ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି  ହେବ । ଫଳରେ ୨୨,୨୩,୨୪ ରେ ସାରା ରାଜ୍ୟରେ ବର୍ଷା ହେବ । ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Advertisment

ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ସ୍ପଷ୍ଟ ହେବ ବୋଲି ବିଭାଗ ସୂଚନା ଦେଇଛି। ଆଜି ବିଜୁଳି ଓ ଘଡଘଡି ସହ କିଛି କିଛି ସ୍ଥାନରେ ହାଲୁକରୁ ମଧ୍ୟମ ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । 

ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ପୁରୀ, ଖୋର୍ଦ୍ଧା,ଅନୁଗୁଳ, ଢେଙ୍କାନାଳ, କଟକ ,ଜଗତସିଂହପୁର ଓ କେନ୍ଦ୍ରାପଡା ଏହି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ଵିଭାଗ । ସେହିପରି ୨୩ ତାରିଖ ରେ କାଁଭାଁ ସ୍ଥାନରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ହେବାର ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଜିଲ୍ଲା ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିରେ ପ୍ରଭାବ ରହିବ। ପ୍ରବଳ ବର୍ଷା ପାଇଁ ମାଲକାନଗିରି କୋରାପୁଟ ନବରଙ୍ଗପୁର ରାୟଗଡା କଳାହାଣ୍ଡି ଗଞ୍ଜାମ,ଗଜପତି, କନ୍ଧମାଳ, ନୟାଗଡ଼ ପୁରୀ ଏବଂ ଖୋର୍ଦ୍ଧା ଏହି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।