କନକ ବ୍ୟୁରୋ: ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଏହାର ପ୍ରଭାବରେ ୫ ତାରିଖଠାରୁ ବଢ଼ିବ ବର୍ଷା । ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର । ଉପକୂଳ ଓଡିଶାରେ ଭଲ ବର୍ଷା ହେବା ନେଇ ଆକଳନ କରାଯାଇଛି । ତେବେ ଆସନ୍ତାକାଲି ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ କଳାହାଣ୍ଡି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ୮ ତାରିଖ ଯାଏଁ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । ଅନ୍ୟପଟେ ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଜୁନ ୧ରୁ ଏଯାବତ ୮୪୦.୭ ମିମି ବର୍ଷା ରେକର୍ଡ ହୋଇଛି। ଏବେ ବି ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ୯୪୧. ୧ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।