କନକ ବ୍ୟୁରୋ :   ଆସନ୍ତା ୧୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଜି ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଏହି ୬ ଜିଲ୍ଲାକୁ ଆଜି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଯାଜପୁର, ନୂଆପଡା, ବଲାଙ୍ଗିର, ସୋନପୁର, ଢେଙ୍କାନାଳ, ଅନୁଗୁଳ ଓ ଦେଓଗଡ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଅବପାତ ଦୁର୍ବଳ ହୋଇ ଏବେ ଝାଡଖଣ୍ଡ ଓ ବିହାର ଉପରେ ଅବସ୍ଥିତ ଅଛି । ଏହାର ପ୍ରଭାବରେ ବିଶେଷ କରି ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । 

Advertisment

ସେପଟେ ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା କାନ୍ଥ, ୨ ମୃତ ।  ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକରେ ୨ଟି ପୃଥକ୍ ପୃଥକ୍ ସ୍ଥାନରେ କାନ୍ଥ ଭୁଶୁଡ଼ିଛି । ୨ ଜଣଙ୍କର ଜୀବନ ଯାଇଛି । କୋଇଡା ବ୍ଲକ କାଲଟା ଫାଣ୍ଡି ଅଧୀନ ଲୋହାରତୋଡା ଗାଁରେ ଜଣେ ବୟସ୍କ ମହିଳା ଘରେ ଶୋଇଥିବା ବେଳେ ଘରର ମାଟି କାନ୍ଥ ପଡିଯିବାରୁ ମୃତ୍ୟୁ ହୋଇଛି । ମୃତକ ହେଲେ ୭୦ ବର୍ଷୀୟା ବନଦୁଇ ବାଗେ । ସେହିପରି କୋଇଡା ବ୍ଲକ୍ ମୋଟୁହନୁମାନ ଗାଁରେ ବର୍ଷା ଯୋଗୁଁ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା  ହେଉଛନ୍ତି ମୋଟୁହନୁମାନ ଗାଁର ଦମାଣି ସେଠ୍ । ଦମାଣି ଶୋଇଥିବା ବେଳେ ବର୍ଷାରେ ଭିଜିଥିବା ଘରର ମାଟି କାନ୍ଥ ତାଙ୍କ ଉପରେ ପଡିଯାଇଥିଲା। କାନ୍ଥ ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି ।