କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥା ପାଇଁ ରାସ୍ତାରେ ଧାନ ଗଦା କରି ରଖିଛନ୍ତି ଚାଷୀ । ଆଉ ଏପଟେ ଅଦିନିଆ ବର୍ଷା ଯୋଗୁଁ ଖଳା ଓ ରାସ୍ତାରେ ପଡ଼ିଥିବା ଧାନ ଭିଜିଯାଇଛି । ଫଳରେ ଧାନ ବିକ୍ରିକୁ ନେଇ ଅନିଶ୍ଚିତତା ଭିତରେ ରହିଛି ଚାଷୀ । 

Advertisment

ଗୋଟିଏ ପଟେ ବର୍ଷା, ଅନ୍ୟପଟେ ମଣ୍ଡି ଅବ୍ୟବସ୍ଥା । ସମ୍ବଲପୁରରେ ଭିଜିଲା ଧାନ । କଟା ଧାନ ଜମିର ଭିଜୁଥିବା ବେଳେ କ୍ବିଣ୍ଟାଲ କ୍ବିଣ୍ଟାଲ ଅମଳ ଧାନ ରାଜରାସ୍ତାରେ ଓଦା ହେଉଥିବା ଦେଖିବାକୁ ମିଳିଛି । ଧାନ ଅମଳ ପରେ ସିଧା ମିଲ୍‌କୁ ନେଲେ ମିଲର୍ସ ଅଧିକ କଟନୀ-ଛଟନୀ କରୁଥିବା ଅଭିଯୋଗ ହୋଇଛି । ତେଣୁ ଚାଷୀ, ଧାନକୁ ରାସ୍ତା ଓ ଖଳାରେ ଶୁଖାଉଛନ୍ତି । ଆଉ ସେତିକି ବେଳେ ବର୍ଷା କାଳ ହୋଇଛି ।

ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥା ପାଇଁ ଚାଷୀ ଅସୁବିଧା ଭୋଗୁଛନ୍ତି । ଧାନ ବର୍ଷାରେ ଭିଜିବା ଦ୍ବାରା ଗଜା ହେବାର ଭୟ ରହୁଛି । ଧାନ ଗଜା ହେଲେ ବିକ୍ରି କରିବା ମୁସ୍କିଲ ହୋଇପଡ଼ିବ ବୋଲି ଆଶଙ୍କା କରି ଚିନ୍ତାରେ ପଡ଼ି ଯାଇଛନ୍ତି ସମ୍ବଲପୁର ଚାଷୀ । କାହିଁ କେଉଁଠୁ ଧାର କରଜ କରି ଚାଷୀ ଚାଷ କରିଥିଲା । ହେଲେ ବର୍ଷା ଆଉ ମଣ୍ଡି ବ୍ୟବସ୍ଥା ପାଇଁ ନଷ୍ଟ ହେବାକୁ ବସିଛି ଚାଷୀର କଷ୍ଟ ଅର୍ଜିତ ଧାନ ।