କନକ ବ୍ୟୁରୋ: ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତା'ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଆକଳନ କରିଛି ପାଣିପାଗ ବିଭାଗ । ଲଘୁଚାପ ସୃଷ୍ଟି ହେବାର ୨ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରଭାବରେ ୨୭ ତାରିଖରୁ ୩୦ ତାରିଖ ଯାଏ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ରହିଛି । ଏହି ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ । ସକ୍ରିୟ ରହିଲେ ଓଡ଼ିଶାରେ ମୌସୁମୀ ଆଗମନ ନେଇ ସ୍ଥିତି ଅନୁକୂଳ ରହିବ ।

Advertisment

ଏପଟେ ରାଜ୍ୟରେ କାଳବୈଶାଖୀ ସହ ପ୍ରାକ୍ ମୌସୁମୀ ବର୍ଷା ବିଭିନ୍ନ ସ୍ଥାନରେ ହେଉଥିବା ବେଳେ ଆଗାମୀ ୭ ଦିନ ଯାଏ ବର୍ଷା ଲାଗି ରହିବ । ଆସନ୍ତା ୨୪ ଘଂଟାରେ ପ୍ରବଳରୁ ଅତି ବର୍ଷା ସମ୍ଭାବନା ଥିବା ବେଳେ କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ,  କେନ୍ଦ୍ରାପଡ଼ା, ବାଲେଶ୍ୱର କେନ୍ଦୁଝର ଓ ମୟୁରଭଞ୍ଜ ଏହି ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ  ଜାରି ହୋଇଛି । ଅବଶିଷ୍ଟ ୧୪ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହିସବୁ ଜିଲ୍ଲାରେ ୪୦ ରୁ ୫୦ କିମି ଝଟକା ପବନ ବହିବାର ସମ୍ଭାବନା ଦେଇଛି  ପାଣିପାଗ ବିଭାଗ ।