କନକ ବ୍ୟୁରୋ:  ପୁରୀ-ଜଗତସିଂହପୁର ସୀମାରେ ବହୁଥିବା ଦେବୀ ନଦୀ ଧୀରେ ଧୀରେ ଗତିପଥ ପରିବର୍ତ୍ତନ କରୁଛି । ନଦୀର ଦକ୍ଷିଣ ପାର୍ଶ୍ବ ବନ୍ଧରୁ ବଡ଼ବଡ଼ ଅତଡ଼ା ଖସୁଛି । ଶହଶହ ଏକର ଚାଷ ଜମି ସହ ଲୁଣା ଜଙ୍ଗଲର ଅନେକ ଅଂଶ ନଦୀ ଗର୍ଭରେ ଲୀନ ହୋଇଗଲାଣି । ଅନେକ ସ୍ଥାନରେ ବନ୍ଧରେ ଫାଟ ଦେଖି ଆତଙ୍କୀତ ନଈକୂଳିଆ ଲୋକ । ଆଗକୁ ଯଦି ଦେବୀରେ ବନ୍ୟା ଆସେ, କିମ୍ବା ବନ୍ଧରେ ଘାଇ ହୁଏ ତେବେ କାକଟପୁର ଓ ଅସ୍ତରଙ୍ଗ ବ୍ଲକର ଏକାଧିକ ଗାଁ ପ୍ରଭାବିତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । କାକଟପୁର ଜଳସେଚନ ବିଭାଗ ଅଧୀନରେ ଥିବା ବନ୍ଧ ସୁରକ୍ଷା ପାଇଁ ୨୦ ବର୍ଷରେ ଖର୍ଚ୍ଚ ହୋଇଛି ୩ଶହ କୋଟିରୁ ଅଧିକ ।

Advertisment

୩୦ରୁ ଅଧିକ ପଥର ସ୍ପର୍‌ ଓ ପଥର ପ୍ୟାକିଂ କରାଯାଇଛି । ହେଲେ ଦେବୀ ନଦୀରେ ପ୍ରତିଦିନ ଆସୁଥିବା ଜୁଆର ଭଟ୍ଟା କାରଣରୁ ଅନେକ ସ୍ପର୍‌ ନଦୀ ଗର୍ଭକୁ ଚାଲିଗଲାଣି । ଦକ୍ଷିଣ ପଟ ବନ୍ଧକୁ କ୍ଷତି ପହଞ୍ଚାଇ ଜନବସତି ଆଡ଼କୁ ମାଡ଼ିଆସୁଛି ଦେବୀ ନଦୀ ।  ବନ୍ୟା ସମୟରେ ମହାନଦୀରୁ ଯେତିକି ବନ୍ୟାଜଳ ପ୍ରବାହିତ ହୁଏ, ତାର ୫୦ ପ୍ରତିଶତରୁ ଅଧିକ ଜଳ ଦେବୀ ମୁହାଣ ଦେଇ ସମୁଦ୍ରକୁ ନିଷ୍କାସିତ ହୋଇଥାଏ । ତେଣୁ ରାଜ୍ୟ ସରକାର ଦେବୀ ବନ୍ଧର ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ ।