କନକ ବ୍ୟୁରୋ : ଆସନ୍ତା ୧୨ ଘଣ୍ଟାରେ ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ କ୍ଷେତ୍ର । ଆଗକୁ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ପରେ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଦେଇ ଗତି କରିବ । ଯାହା ପ୍ରଭାବରେ ରାଜ୍ୟରେ ଆଗାମୀ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଇଏମ୍ଡିର ଆକଳନ ଅନୁସାରେ, ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବିଶେଷକରି ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ୭ ରୁ ୧୧ ସେମି ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି । ୨୭ରେ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି ।
ଉପରମୁଣ୍ଡରେ ବର୍ଷା ବଢ଼ିବା ଫଳରେ ହୀରାକୁଦରୁ ମୋଟ ୨୦ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ୩ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଆସନ୍ତାକାଲି ମୁଣ୍ଡଳିରେ ସକାଳ ୮ ରୁ ୧୧ ଟା ମଧ୍ୟରେ ୬ ଲକ୍ଷ ଜଳ ପ୍ରବାହିତ ହେବ । ଶାଖା ନଦୀଗୁଡ଼ିକରେ ଜଳସ୍ତର ବଢ଼ିବ । କିନ୍ତୁ ବର୍ଷା କମିଥିବାରୁ ବନ୍ୟା ସ୍ଥିତି ଦେଖିବାକୁ ମିଳିବ ନାହିଁ । ବର୍ଷା ଜାରି ରହିଥିବାରୁ ୨୫ରୁ ୨୮ ତାରିଖ ମଧ୍ୟରେ କେନ୍ଦ୍ର ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି ।