କନକବ୍ୟୁରୋ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା । ବଢିଲା ଜଳକା ନଦୀର ଜଳସ୍ତର । ମଥାନୀଠାରେ ଜଳକା ନଦୀର ଜଳସ୍ତର ସତର୍କ ସଙ୍କେତ ଟପିଛି । ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬ ଦଶମିକ ୨୨ ମିଟରରେ ପ୍ରବାହିତ ହେଉଛି ।  ଫଳରେ ବନ୍ୟା ଆଶଙ୍କାରେ ଭୟଭୀତ ନଦୀ କୁଳିଆ ବାସିନ୍ଦା। ଗତ ଦୁଇଦିନ ଧରି ବାଲେଶ୍ବର ସମେତ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ।

Advertisment

ଫଳରେ ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଅବବାହିକା ସମେତ ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି । ବନ୍ୟା ହେଲେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ଗତ ବନ୍ୟାରେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏକ ହଜାରରୁ ଅଧିକ ହେକ୍ଟର ଚାଷ ଜମିରେ ପାଣି ପଶିଥିଲା । 

ସେଥିରେ ବହୁ ପରିମାଣରେ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଗତ ଦିନେ ଦୁଇ ଦିନ ହେବ ପାଣି ଛାଡିଥିବା ବେଳେ ପୁଣି ଏହି ଲଘୁଚାପ ଫଳରେ ବନ୍ୟା ହୋଇ ଚାଷ ଜମିରେ ପାଣି ପଶିଲେ ସମ୍ପୂର୍ଣ୍ଣ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଚାଷୀ ଚିନ୍ତାରେ ଅଛନ୍ତି।  

ଲଘୁଚାପଜନିତ ବର୍ଷାରେ ଜଳମଗ୍ନ ତଳିଆ ଅଞ୍ଚଳ। କେସିପୁରରୁ ଛତ୍ରପୁରର ୧୯ ନଂ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ଭେଜିକୁଟ ଗାଁ ରାସ୍ତା ଉପରେ ଆଣ୍ଠୁଏ ପାଣି ଦେଖିବାକୁ ମିଳିଛି । ଭେଜିକୁଟ, ଚଉଦମାଣିଆ, ବେତକଟା, ଅଶୋକନାଳ, ଗବପାଳ, ନଟାପଡା, ବାକ୍ସନାଳ, ବୁଦୁଡାହି, ନିମଚତୁରି ଗ୍ରାମବାସୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି । ପାଣି ଯୋଗୁଁ ଅଟକି ରହିଛି ବଡ ବଡ଼ ଗାଡି। ବର୍ଷାର ପରିମାଣ ବଢୁଥିବାରୁ ଆଗକୁ ସ୍ଥିତି ଗୁରୁତର ହୋଇପାରେ । 

ତରତରୀ ନଈ ଉପରେ ଦୁଇ ବର୍ଷ ପୂର୍ବରୁ ବ୍ରିଜ ହୋଇ ଅଧା ନିର୍ମାଣ ହୋଇ ପଡିଛି । ଫଳରେ ରାସ୍ତା ଉପରେ ନଇ ପାଣିର ସୁଅ ଚାଲିଛି। ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି । ଆଜି ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ତାଳଚେରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିଲା। ଆସନ୍ତାକାଲି ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଶନିବାରଠାରୁ ବର୍ଷାର ପ୍ରଭାବ କମିପାରେ ।