କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ମାଆ ଜଗତଜନନୀ ଧରାବତରଣ କରିବେ । ସେଥିପାଇଁ ପୁରପଲ୍ଲୀ ସବୁଠି ବେଶ୍ ଚଳଚଞ୍ଚଳ । କିନ୍ତୁ ସବୁ ଖୁସି ଓ ଉତ୍ସାହକୁ ଭାଙ୍ଗି ଦେଉଛି ଲଘୁଚାପ ବର୍ଷା , ମାଆଙ୍କ ମୂର୍ତ୍ତି ଶୁଖି ପାରୁନାହିଁ । ବର୍ଷା ପାଇଁ ତୋରଣ ବାନ୍ଧିପାରୁ ନାହାନ୍ତି କାରିଗର । କେମିତି ପ୍ରସ୍ତୁତି ସରିବ ସେଇ ନେଇ ଚିନ୍ତାରେ କାରିଗର ଓ କର୍ମକର୍ତ୍ତା । ଆଉ କିଛି ଦିନ ଅପେକ୍ଷା, ଧରାପୃଷ୍ଠକୁ ଆସିବେ ମାଆ । ଚାରିଆଡ଼େ ଉତ୍ସାହର ମାହୋଲ । ବାଲେଶ୍ୱର ସହରରେ ୧୮ରୁ ଅଧିକ ମଣ୍ତପରେ ମାଆ ପୂଜା ପାଉଛନ୍ତି । ସେଥିପାଇଁ ନୂଆ ନୂଆ ଥିମ୍ରେ ଆକର୍ଷଣୀୟ ତୋରଣ କରିଥାନ୍ତି । ମେଢ଼, ମଣ୍ଡପ, ମୂର୍ତ୍ତି, ଆଲୋକ ସାଜସଜ୍ଜା ପାଇଁ ପ୍ରସ୍ତୁତି ଚାଲିଛି । କିନ୍ତୁ ଲଗାଣ ବର୍ଷା ଉତ୍ସାହକୁ ଫିକା କରିଦେଇଛି । ଲଗାଣ ବର୍ଷା ଲାଗିରହିଥିବାରୁ ଶୁଖୁନି ମୂର୍ତ୍ତି ।
ସେପଟେ ବର୍ଷା ଲାଗିରହିଥିବାରୁ ବାଉଁଶ ଉପରେ ଚଢି କାମ କରିବା ସମ୍ଭବ ହେଉନି । ଲକ୍ଷାଧିକ ଟଙ୍କାର ପୂଜା ବଜେଟ୍ । ଆଡଭାନସ୍ ବି ଦିଆ ସରିଲାଣି । କିନ୍ତୁ କିଛି କାମ ହୋଇପାରୁନାହିଁ ବର୍ଷା ପାଇଁ। କେମିତି ସବୁ ପ୍ରସ୍ତୁତି ସରିବ ସେଇ ନେଇ ସମସ୍ତେ ଚିନ୍ତାରେ ।