କନକ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ । ଆସାମ, ମଣିପୁର, ସିକ୍କିମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ଓ ଭୁସ୍ଖଳନ ସ୍ଥିତି । ରାସ୍ତାଘାଟ, ଘରଦ୍ବାର ଚାରିଆଡ଼େ ପାଣି ହିଁ ପାଣି ଦେଖିବାକୁ ମିଳିଛି । ଅନେକ ଗାଁ ଜଳମଗ୍ନ ହୋଇଛି। ରାସ୍ତାରେ ଡଙ୍ଗା ଚାଲୁଛି । ଏନଡିଆରଏଫ୍, ଏସଡିଆରଏଫ ଟିମ୍‌ ପକ୍ଷରୁ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରାଯାଉଛି । ଉତ୍ତର ସିକ୍କିମ୍‌ରେ ବର୍ଷା ବିପର୍ଯ୍ୟୟ କାରଣରୁ ଜଟିଳ ସ୍ଥିତି ଦେଖିବାକୁ ମିଳିଛି । ମଙ୍ଗନ ଜିଲ୍ଲାର ଲାଚେନ୍ ଓ ଲାଚୁଙ୍ଗ ଉପତ୍ୟକାରେ ପ୍ରାୟ ୧୫ ଶହ ପର୍ଯ୍ୟଟକ ଫସି ରହିଛନ୍ତି । ଲଗାଣ ବର୍ଷା, ଭୂସ୍ଖଳନ ଓ ତିସ୍ତା ନଦୀରେ ବଢୁଥିବା ପାଣି ଯୋଗୁଁ  ଅଣାୟତ୍ତ ସ୍ଥିତି ଉପୁଜିଛି । ଉଭୟ ଯାତାୟାତ ଓ ଉଦ୍ଧାର କାର୍ଯ୍ୟ ଠପ୍ ହୋଇଯାଇଛି । ରବିବାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ସ୍ଥିର ହୋଇଥିଲେ ହେଁ ପୁଣି ଥରେ ଭୂସ୍ଖଳନ ଯୋଗୁଁ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଗତ ୨୯ ତାରିଖରେ ମୁନ୍‌ସିଥାଙ୍ଗଠାରେ ତିସ୍ତା ନଦୀରେ ଗାଡ଼ି ଖସି ପଡ଼ିବା ପରେ ନିଖୋଜ ହୋଇଥିବା ୮ ଜଣ ପର୍ଯ୍ୟଟକଙ୍କୁ ଏପର୍ଯ୍ୟନ୍ତ ଠାବ କରାଯାଇପାରିନାହିଁ । ଗତ ୪୮ ଘଣ୍ଟା ମଧ୍ୟରେ ଆସାମ ଓ ଅରୁଣାଚଳ ପ୍ରଦେଶରୁ ୯ ଜଣ ଲେଖାଏଁ, ମେଘାଳୟରୁ ୬ ଜଣ, ମିଜୋରାମରୁ ୫ ଜଣ ଏବଂ ନାଗାଲାଣ୍ଡ ଓ ତ୍ରିପୁରାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଅରୁଣାଚଳରେ ଏକ ଭୂସ୍ଖଳନ ଯୋଗୁଁ ଗାଡ଼ି ଗଭୀର ଖାଲକୁ ଖସି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ୨ ଜଣ ଗର୍ଭବତୀ ମହିଳା ଥିବା ବେଳେ ୨ଟି ପରିବାରର ବୋଲି ଜଣାପଡ଼ିଛି ।