କନକ ବ୍ୟୁରୋ : ଶୁଖିଲା ବିଲକୁ ଟ୍ୟାଙ୍କର ଭରସ, ମରୁଡ଼ି ମୁହଁରୁ ବର୍ତ୍ତିବା ପାଇଁ ଚାଷୀଙ୍କ ବ୍ୟବସ୍ଥା । ସ୍ୱଳ୍ପ ବୃଷ୍ଟିପାତ ଗୁଣୁପୁର କୃଷି ଜିଲ୍ଲାରେ ଚାଷୀଙ୍କ ନିଦ ହଜାଇ ଦେଇଛି । ନଦୀ, ନାଳ ଓ କେନାଲ ଶୁଖିଲା ପଡିଛି । ଅଣଜଳସେଚିତ ଜମିରେ ଧାନ ଚାଷ ବେଶ ପ୍ରଭାବିତ ହୋଇଛି। ଧାନ ଅମଳ ସମୟରେ ପାଣି ଅଭାବରୁ  ଉଜୁଡି ଯାଉଥିବା ଚାଷକୁ ବଂଚାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ଚାଷୀ । କେଉଁଠି ଚାଷୀ ମଟର ସହାୟତାରେ ଜମିକୁ ପାଣି ମଡ଼ାଉଛନ୍ତି ତ ଆଉ କେଉଁଠି ଜମି ପାଖରେ ପହଂଚିଛି ପାଣି ଟ୍ୟାଙ୍କର ।

Advertisment

ରାମାନାଗୁଡା ବ୍ଲକ ଅଂଚଳରେ ଚାଷୀ ଟ୍ୟାଙ୍କର ଯୋଗେ ଜମିକୁ ପାଣି ମଡ଼ାଉଥିବା ଦେଖିବାକୁ ମିଳିଛି । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଧାନ ଚାଷ ପ୍ରଭାବିତ ହେବାରୁ ଏଭଳି ନିଷ୍ପତି ନେଇଛନ୍ତି ଅଜିତ ଗାଣ୍ଟା ନାମକ ଚାଷୀ। ଅମଳ ସମୟରେ ପାଣି ନଥିବା ଫସଲ ନଷ୍ଟ ହୋଇଯିବ, ତେଣୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଇବା ଦ୍ୱାରା କିଛି ମାତ୍ରାରେ ଅମଳ ହୋଇପାରେ ବୋଲି ଆଶା ରଖିଛନ୍ତି । 

ଚଳିତ ବର୍ଷ ଗୁଣୁପୁରରେ ୧ ହଜାର ୩୪ ମିଲିମିଟର କମ୍‌ ବର୍ଷା ରେକର୍ଡ ହୋଇଛି। ରାମାନାଗୁଡ଼ାରେ ୨ ହଜାର ୪ଶହ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଧାର କରଜ କରି ଚାଷ କରିଥିବା ଚାଷୀଙ୍କ ଆର୍ଥିକ ସ୍ଥିତି ଦୋହଲାଇ ଦେଇଛି ଅଭାବୀ ବର୍ଷା ।