କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇପାରେ । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ବିଶେଷ କରି ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷିଛି । ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ସେଥିପାଇଁ ଏହି ୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ବରଗଡ଼, ସୋନପୁର, ବୌଦ୍ଧ, କୋରାପୁଟ, ବଲାଙ୍ଗୀର ଓ ନୂଆପଡ଼ାରେ ବି ବଜ୍ରପାତ ସହ ପ୍ରବଳ ବର୍ଷିପାରେ । ଏଥିସହ ସମଗ୍ର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟରେ ୬ ତାରିଖ ଯାଏଁ ଏହିଭଳି ବର୍ଷା ଜାରି ରହିବ ।
/filters:format(webp)/kanak/media/media_files/2025/09/03/rainimage-2025-09-03-08-26-50.jpg)
ବଢୁଛି ଜଳକା ନଦୀର ଜଳସ୍ତର । ନଦୀର ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୦୩ ମିଟରରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ଜଳସ୍ତର । ଗତ ଦୁଇ ଦିନ ଧରି ବସ୍ତା ସମେତ ନଦୀର ଉପରମୁଣ୍ଡରେ ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା, ଚିତ୍ରଡ଼ା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇଛି । ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ବନ୍ୟା ହେଲେ ବସ୍ତା ବ୍ଲକର ୧୦ ପଞ୍ଚାୟତ ମଥାନୀ, ବାହାର୍ଦା, କୁଡ଼ିଆ, ଦୁଧ ହଂସା, ବାସି ଚକୁରାଇ, ଦରଡ଼ା, ମୁକୁଳିସି, ସଦନନ୍ଦପୁର, ବ୍ରାହ୍ମୁଣଦା, ବରୁଣଗଡ଼ିଆ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ଶ୍ରୀରାମପୁର ଓ ରସଲପୁର ପ୍ରଭାବିତ ହୋଇପାରେ ।