କନକ ବ୍ୟୁରୋ : ଏଣିକି ରେଳ ଯାତ୍ରା ମହଙ୍ଗା ପଡ଼ିବ । ଯାତ୍ରା ଶୁଳ୍କ ବାବଦକୁ ନୁହେଁ ବରଂ ସାଥିରେ ନେଉଥିବା ଜିନିଷ ପାଇଁ ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଅଧିକ ଶୁଳ୍କ । ବିମାନଯାତ୍ରା ଭଳି ରେଳଯାତ୍ରାରେ ବି ନିର୍ଦ୍ଧିଷ୍ଟ ଓଜନଠାରୁ ଅଧିକ ଓଜନର ସାମଗ୍ରୀ ନେଲେ ଅଧିକ ଟଙ୍କା ଦେବେ ଯାତ୍ରୀ । ଅନେକଙ୍କ ପ୍ରଥମ ପସନ୍ଦ ହେଉଛି ରେଳଯାତ୍ରା । କମ ଖର୍ଚ୍ଚରେ ଦୂର ସ୍ଥାନକୁ ଯିବାର ସବୁଠୁ ଭଲ ମାଧ୍ୟମ ହେଉଛି ରେଳଯାତ୍ରା । ଆଉ ସାଥିରେ ନିଜ ଇଚ୍ଛା ଅନୁଯାୟୀ ଜିନିଷ ନେବାର ବି ରହିଥିଲା ସୁଯୋଗ । କିନ୍ତୁ ଏଣିକି ବିମାନଯାତ୍ରୀଙ୍କ ଭଳି ରେଳଯାତ୍ରୀଙ୍କୁ ଖୁବ୍ଶୀଘ୍ର ଅଧିକ ଓଜନର ବ୍ୟାଗପତ୍ର ନେଲେ ଅଧିକ ଅର୍ଥ ଦେବାକୁ ପଡ଼ିବ । ରେଳଯାତ୍ରୀଙ୍କ ପାଇଁ ରହିଥିବା ବ୍ୟାଗେଜ୍ ନିୟମକୁ ଶୀଘ୍ର କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରାଳୟ । ବିମାନଯାତ୍ରୀଙ୍କୁ ଯେଭଳି ଲଗେଜ୍ ସୀମା ବାହାରେ ଅଧିକ ସାମଗ୍ରୀ ନେଲେ ଅଧିକ ଶୁଳ୍କ ଦେବାକୁ ପଡ଼ୁଛି ରେଳଯାତ୍ରୀଙ୍କୁ ମଧ୍ୟ ସେଭଳି ଅଧିକ ଶୁଳ୍କ ଗଣିବାକୁ ପଡ଼ିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଉତ୍ତର କେନ୍ଦ୍ରୀୟ ରେଳଜୋନ୍ରେ ଆରମ୍ଭ ହେବ ଏହି ନୂଆ ନିୟମ । ପ୍ରୟାଗରାଜ ଜଙ୍କସନ, କାନପୁର ସେଣ୍ଟ୍ରାଲ, ମିର୍ଜାପୁର ଭଳି ଷ୍ଟେସନରେ ପରୀକ୍ଷାମୂଳକ ଭାବେ ଏହାକୁ ଆରମ୍ଭ କରାଯିବ।
ଏସି ପ୍ରଥମ ଶ୍ରେଣୀରେ ଯାତ୍ରୀମାନେ ୭୦ କିଲୋ ପର୍ଯ୍ୟନ୍ତ ସାମଗ୍ରୀ ସାଥିରେ ନେଇପାରିବେ
ଦ୍ବିତୀୟ ଶ୍ରେଣୀ ଏସି ଯାତ୍ରୀ ୫୦ କିଲୋ ପର୍ଯ୍ୟନ୍ତ ସାମଗ୍ରୀ ନେବାକୁ ଅନୁମତି ମିଳିବ
ତୃତୀୟ ଶ୍ରେଣୀ ଏସି ଓ ସ୍ଲିପର ଶ୍ରେଣୀରେ ୪୦ କିଲୋ ନେଇପାରିବେ
ସାଧାରଣ ଶ୍ରେଣୀରେ ୩୫ କିଲୋ ପର୍ଯ୍ୟନ୍ତ ସାମଗ୍ରୀ ବିନା ମୂଲ୍ୟରେ ନେବାର ଅନୁମତି
ଅଧିକ ବଡ଼ ଆକାରର ବ୍ୟାଗ୍ ନେଉଥିଲେ ଓଜନ ଯାହା ହେଲେ ମଧ୍ୟ ସେଥିପାଇଁ ଶୁଳ୍କ ଦେବାକୁ ପଡ଼ିବ
ତେବେ ଏହି ନିଷ୍ପତ୍ତିକୁ ବଦଳାଇବା ପାଇଁ ଦାବି ଉଠିଲାଣି । ରେଳ ଷ୍ଟେସନରେ ଥିବା ଇଲେକ୍ଟ୍ରୋନିକ ମେସିନରେ ଯାତ୍ରୀମାନଙ୍କୁ ସେମାନଙ୍କ ବ୍ୟାଗକୁ ଓଜନ କରିବାକୁ ପଡ଼ିବ । ଏହି ନିୟମକୁ କଡ଼ାକଡ଼ି କରିବା ପାଇଁ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି ।