କନକ ବ୍ୟୁରୋ : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେଣ୍ଟର ଫର୍ ରେଲୱେ ଇନ୍ଫରମେସନ୍ ସିଷ୍ଟମର ୪୦ତମ ପ୍ରତିଷ୍ଠା ଦିବସ ସମାରୋହରେ 'RailOne' ଆପ୍ ଲଞ୍ଚ କରିଛନ୍ତି । ଏହି ଆପ୍ ପ୍ଲେଷ୍ଟୋର ଏବଂ iOS ଆପ୍ ଷ୍ଟୋର ଉଭୟରେ ଉପଲବ୍ଧ ହେବ । RailOne ଆପ୍ ଦ୍ୱାରା ଯାତ୍ରୀମାନଙ୍କର ସମସ୍ତ ଜରୁରୀ ସେବା ପୂରଣ ହେବା ସହ ଅସୁବିଧାର ମଧ୍ୟ ସମାଧାନ ହୋଇପାରିବ ।
ଏହି ଆପ୍ ମାଧ୍ୟମରେ, ଯାତ୍ରୀମାନେ ଅନେକଗୁଡ଼ିଏ ସୁବିଧା ପାଇପାରିବେ । ଯେମିତିକି ଟ୍ରେନ୍ ଟିକେଟ୍ , ପ୍ଲାଟଫର୍ମ ଟିକେଟ୍, ଟ୍ରେନ୍ ଏବଂ PNR ଅନୁସନ୍ଧାନ, ଟ୍ରାଭେଲ୍ ଯୋଜନା , ରେଲୱେ ସହାୟତା ସେବା , ଟ୍ରେନ୍ରେ ଖାଦ୍ୟ ବୁକିଂ ଆଦିର ସୁବିଧା ମିଳିବ । ମାଲ୍ ପରିବହନ ସମ୍ବନ୍ଧୀୟ ଅନୁସନ୍ଧାନ ମଧ୍ୟ ଏଥିରେ ଉପଲବ୍ଧ । ଏହି ଆପ୍ର ମୂଳ ଉଦ୍ଦେଶ୍ୟ ହେଉଛି ଏକ ଉପଭୋକ୍ତାମାନଙ୍କୁ ସୁବିଧାରେ ସେବା ଯୋଗାଇବା । ଏହି ଆପ୍ ଯେ କେବଳ ଏକା ସାଙ୍ଗରେ ସବୁ ସୁବିଧା ଯୋଗାଇବ ତା ନୁହେଁ , ବରଂ ସେବାଗୁଡ଼ିକ ମଧ୍ୟରେ ସମନ୍ୱିତ ସଂଯୋଗ ପ୍ରଦାନ କରିବ ।
ଏଥିରେ ବ୍ୟବହାରକାରୀଙ୍କୁ ଏକାଧିକ ପାସୱାର୍ଡ ମନେ ରଖିବାର ଆବଶ୍ୟକ ନାହିଁ । RailOne ଆପ୍ ଡାଉନ୍ଲୋଡ୍ କଲା ପରେ ଉପଭୋକ୍ତାମାନଙ୍କୁ ବିଭିନ୍ନ ସେବା ପାଇଁ ଅଲଗା ଅଲଗା ଆପ୍ ମଧ୍ୟ ରଖିବାକୁ ପଡ଼ିବ ନାହିଁ । ଯାହା ଫଳରେ ଡିଭାଇସ୍ ଷ୍ଟୋରେଜ୍ ସଞ୍ଚୟ ହେବ । ଏହି ଆପ୍ ସହିତ R-Wallet (ରେଳୱେ ଇ-ୱାଲେଟ୍) ସୁବିଧା ମଧ୍ୟ ଯୋଡାଯାଇଛି । ସଂଖ୍ୟାତ୍ମକ mPIN ଏବଂ ବାୟୋମେଟ୍ରିକ୍ ଲଗଇନ୍ ଭଳି ସହଜ ଲଗଇନ୍ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।