କନକ ବ୍ୟୁରୋ : କଂଗ୍ରେସ ଫୋକସରେ ମହାରାଷ୍ଟ୍ର । ହରିୟାଣା ହାରିବା ପରେ ଏବେ ଆଉ ରିକ୍ସ ନେବାକୁ ଚାହୁଁନାହାନ୍ତି ରାହୁଲ ଗାନ୍ଧୀ । ଯେଉଁ ଭୁଲ୍ ପାଇଁ ହରିୟାଣା ହାତରୁ ଖସିଗଲା ତାହାର ଯେପରି ପୁନରାବୃତ୍ତି ମହାରାଷ୍ଟ୍ରରେ ନ ହେଉ ସେଥିପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଆଜି ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଜାରି କରିପାରେ କଂଗ୍ରେସ । ଏହାସହ ମହାବିକାଶ ଅଘାଡ଼ିରେ ଆସନ ଭାଗବଣ୍ଟାକୁ ନେଇ ସନ୍ଧ୍ୟା ସୁଦ୍ଧା ଚୂଡ଼ାନ୍ତ ନିଷ୍ପତି ହେବ ।

Advertisment

ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ରମେଶ ଚେନ୍ନିଥଲା ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ମହାବିକାଶ ଅଘାଡ଼ି ଏକାଠି ହୋଇ ନିର୍ବାଚନ ଲଢ଼ିବ ଏବଂ ତାଙ୍କ ଭିତରେ କୌଣସି ମତଭେଦ ନଥିବା ମହାରାଷ୍ଟ୍ର କଂଗ୍ରେସ ପ୍ରଭାରି କହିଛନ୍ତି । ମେଣ୍ଟ ହେଲେ ଆସନ ଭାଗବଣ୍ଟାକୁ ନେଇ ଆଲୋଚନା ଚାଲେ ଏବଂ ଶନିବାର ସୁଦ୍ଧା ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଜାରି ହେବ । ଗତ ୩ଦିନ ତଳେ କଂଗ୍ରେସ, ଏନସିପି ଓ ଶିବସେନା ୮୫ଟି ଲେଖାଏଁ ଆସନରେ ଲଢ଼ିବେ ବୋଲି ନିଷ୍ପତି ହୋଇଥିଲା । ଏହାସହ ୧୮ଟି ଆସନ ମେଣ୍ଟ ସହଯୋଗୀ ଦଳକୁ ଛାଡ଼ିବା ପାଇଁ ସ୍ଥିର ହୋଇଥିଲା। ତେବେ ୧୫ଟି ଆସନକୁ ନେଇ ଭାଗବଣ୍ଟା ଛିଡିନଥିବା ବେଳେ ଆଜି ଏନେଇ ଚୂଡ଼ାନ୍ତ ନିଷ୍ପତି ହୋଇପାରେ ।