କନକ ବ୍ୟୁରୋ : ଉତ୍ତର ପ୍ରଦେଶର ସମ୍ଭାଲ ସ୍ଥିତ ଶାହି ଜାମା ମସଜିଦ୍ ସର୍ଭେ ବେଳେ ହୋଇଥିବା ହିଂସାକାଣ୍ଡ ପରେ ଉତ୍ତେଜନା ପ୍ରକାଶ ପାଉଛି । ସମସ୍ତ ବିରୋଧୀ ଦଳ ଏହି ହିଂସା ପାଇଁ  ଯୋଗୀ ସରକାରଙ୍କୁ ଦାୟୀ କରୁଛନ୍ତି । ସମାଜବାଦୀ ପାର୍ଟିର ଅନେକ ନେତା ସେଠାକୁ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରଶାସନ ସେମାନଙ୍କୁ ଅନୁମତି ଦେଇନଥିଲା ଏବଂ ସେମାନଙ୍କୁ ଅଧାବାଟରେ ଅଟକାଇଥିଲା । ସେହିପରି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି  ସମ୍ଭାଲ ଯାଇ ପୀଡ଼ିତଙ୍କ ପରିବାରକୁ ଭେଟିପାରନ୍ତି ବୋଲି ସୂଚନା ମିଳିଥିଲା, ତେବେ ଜିଲ୍ଲା ପ୍ରଶାସନ ରାହୁଲଙ୍କୁ ସମ୍ଭଲ ଆସବାକୁ ଅନୁମତି ପ୍ରଦାନ କରୁନାହିଁ । ରାହୁଲ ଗାନ୍ଧି ସମ୍ଭାଲରେ ଆସିବାର ଖବର ପାଇବା ପରେ ଡିଏମ୍ ରାଜେନ୍ଦ୍ର ପେସିଆ ଗାଜିଆବାଦ ପୋଲିସ କମିଶନର, ଏସପି ଏବଂ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ସେ ଗାଜିଆବାଦ ଅମରୋହା ଏବଂ ଏହାର ଆଖପାଖ ଅଞ୍ଚଳରେ ସୀମାକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିଛି ଦିନ ତଳେ ସମାଜବାଦୀ ପାର୍ଟି ନେତାମାନେ ସମ୍ଭଲ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ବାଟରେ ଅଟକାଇ ଦିଆଯାଇଥିଲା, ଯାହାକୁ ନେଇ ଦଳର ମୁଖ୍ୟ ଅଖିଳେଶ ଯାଦବ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସରକାରଙ୍କୁ ଟାର୍ଗେଟ କରିଥିଲେ । 

Advertisment

ବାସ୍ତବରେ ନଭେମ୍ବର ୧୯ ରେ ଜାମା ମସଜିଦରେ ପ୍ରଥମ ଥର ପାଇଁ ସର୍ଭେ କରାଯିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ନଭେମ୍ବର ୨୪ରେ ମସଜିଦର ପୁନଃ ସର୍ଭେ ସମୟରେ ହିଂସା କାଣ୍ଡ ଘଟିଥିଲା । ଏହି ସମୟରେ ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ତୀବ୍ର ଧସ୍ତାଧସ୍ତି ହୋଇଥିଲା । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ଭାଲ ଜିଲ୍ଲା ପ୍ରଶାସନ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗେଇଥିଲା । ସେପଟେ ଘଟଣା ରେ ନୂଆ ମୋଡ଼ ଦେଖିବାକୁ ମିଳିଛି , ମସଜିଦ ହିଂସା ଘଟଣାରେ ରହିଛି ପାକିସ୍ତାନ କନେକସନ । ଜାମା ମସଜିଦ ନିକଟ ଡ୍ରେନରୁ କିଛି ଅଫୁଟା ଗୁଳି ଓ କିଛି କିଓସ୍କ ମିଳିଛି । ଏସବୁ ହେଉଛି  ପାକିସ୍ତାନ ଗୁଳି । ଏହାକୁ ପାକିସ୍ତାନର ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ତିଆରି କରାଯାଇଛି ।