କନକ ବ୍ୟୁରୋ : ପାଖେଇ ଆସିଲାଣି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଆଉ ଦିନ କେଇଟା ପରେ ହେବ ଭୋଟ୍‌ । ଏଥିପାଇଁ ସମସ୍ତ ରାଜନୈତିକ ଦଳଗୁଡିକ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ବିଭିନ୍ନ ଦଳଗୁଡିକ ନିଜ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି । ଏହାରି ଭିତରେ କିନ୍ତୁ କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧି ଖପ୍ପା ହୋଇଯାଇଛନ୍ତି । ମହାରାଷ୍ଟ୍ରରେ ଆସନ ଭାଗ ବଣ୍ଟାକୁ ନେଇ ସେ ରାଗିଥିବା କୁହାଯାଉଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମ୍ପର୍କରେ ଶୁକ୍ରବାର ଦିନ ଦିଲ୍ଲୀ ଦଳୀୟ ମୁଖ୍ୟାଳୟରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ , ରାହୁଲ ଗାନ୍ଧି ଏହି ବୈଠକର ଅଧାରୁ ହିଁ ଛାଡି ଚାଲି ଆସିଥିଲେ । କଂଗ୍ରେସର ଦବ୍‌ଦବା ଥିବା ଆସନଗୁଡ଼ିକୁ ଶିବସେନା (ୟୁବିଟି) କୁ ଦେଇଥିବାରୁ ସେ ରାଗି ଯାଇଥିବା କୁହାଯାଉଛି । 

Advertisment

ହାଇ କମାଣ୍ଡର ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ବାଲାସାହେବ ଥୋରାଟଙ୍କୁ ବିଦର୍ଭ ଏବଂ ମୁମ୍ବାଇ ଆସନ ସମ୍ପର୍କରେ ଏମଭିଏ ସହଯୋଗୀ ଶରଦ ପାୱାର ଏନସିପି ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ସହ ଆଲୋଚନା କରିବାକୁ ଦାୟିତ୍ୱ ଦେଇଛନ୍ତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏକ ମାସରୁ ବି କମ୍ ସମୟ ବାକି ଅଛି । କିନ୍ତୁ ମହାବିକାଶ ଆଘାଡିରେ ଆସନ ଭାଗ ବଣ୍ଟାକୁ ନେଇ ଟଣାଓଟରା ଜାରି ରହିଛି । କଂଗ୍ରେସ, ଉଦ୍ଧବ ସେନା ଏବଂ ଶରଦ ପାୱାରଙ୍କ ଦଳ ଏହା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏହି ତିନି ଦଳ ସମାନ ଆସନ ୮୫-୮୫ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ହୋଇଛି । ଅବଶିଷ୍ଟ ୩୩ ଟି ଆସନ ଉପରେ ମଧ୍ୟ ନିଷ୍ପତ୍ତି ଶୀଘ୍ର ନିଆଯିବ । କିନ୍ତୁ ପରେ ସିଟ୍ ବଣ୍ଟନ ନେଇ ୩ଟି  ଦଳ ମଧ୍ୟରେ କୌଣସି ସହମତି ହୋଇନଥିବା ଖବର ସାମ୍ନାକୁ ଆସିଥିଲା ।