କନକ ବ୍ୟୁରୋ: ରାତି ପାହିଲେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବାକୁ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଏଥିପାଇଁ ବରମୁଣ୍ଡା ପଡିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପିସିସି ସଭାପତି ଓ ଦଳର ତୁଙ୍ଗ ନେତା ସଭାସ୍ଥଳରେ ପହଞ୍ଚି ସମୀକ୍ଷା କରିଛନ୍ତି । ରାହୁଲଙ୍କୁ ଶୁଣିବାକୁ ରାଜ୍ୟର କୋଣ ଅନୁକୋଣରୁ ଆସିବେ କଂଗ୍ରେସ କ୍ୟାଡର । ହେଲେ ଏଥିରେ ବାଧକ ସାଜିଛି ଡ୍ରାଇଭରଙ୍କ ଆନ୍ଦୋଳନ ।

Advertisment

ସରକାର ଦାବି ମାନୁନଥିବାରୁ ଆନ୍ଦୋଳନ ଜାରି ରଖିଛି ଡ୍ରାଇଭର ସଂଘ। ମାତ୍ର ଏଥିରେ ଚକ୍ରାନ୍ତର ଗନ୍ଧ ବାରିଛି କଂଗ୍ରେସ । ରାହୁଲଙ୍କ ସମାବେଶକୁ ଭଣ୍ଡୁର ପାଇଁ ଡ୍ରାଇଭରଙ୍କ ଦାବି ପୂରଣକୁ ଜାଣିଶୁଣି ସରକାର ବିଳମ୍ବିତ କରୁଛନ୍ତି ବୋଲି କହୁଛନ୍ତି ନେତା । କ୍ଷମତାରେ ଥିବା ବିଜେପିର ଏଭଳି ଆଭିମୁଖ୍ୟକୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି । ଜବାବରେ ବିଜେପି କହିଛି, ବିରୋଧୀ ହିଁ ଡ୍ରାଇଭର ମହାସଂଘ ଆନ୍ଦୋଳନ ପଛରେ ଅଛନ୍ତି । 

ଡ୍ରାଇଭର ଆନ୍ଦୋଳନ ପାଇଁ ସିଧାସଳଖ ବିଜେପି ସରକାରକୁ ଦାୟୀ କରିଛି କଂଗ୍ରେସ। ଡ୍ରାଇଭରଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ଦଳ ମୁଖିଆ । ସମର୍ଥନ ବଦଳରେ ସମର୍ଥନ ଅଫର ଦେଇଛନ୍ତି ଭକ୍ତ। କଂଗ୍ରେସ କର୍ମକର୍ତ୍ତାଙ୍କୁ ଆଣୁଥିବା ଗାଡିକୁ କୌଣସି ସ୍ଥାନରେ ନ ଅଟକାଇବାକୁ ନିବେଦନ କରିଛନ୍ତି । ଏହା ବଦଳରେ ଡ୍ରାଇଭର ଆନ୍ଦୋଳନକୁ କଂଗ୍ରେସ ସମର୍ଥନ ଦେବ ବୋଲି ଖୋଲା ଘୋଷଣା କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି, 
ରାହୁଲଙ୍କ ସମାବେଶକୁ ଭଣ୍ଡୁର ପାଇଁ ସତରେ ହୋଇଛି କି ଚକ୍ରାନ୍ତ?
ରାତିସୁଦ୍ଧା ଡ୍ରାଇଭର ସଂଘ ଆନ୍ଦୋଳନ ପ୍ରତ୍ୟାହାର ନକଲେ କେମିତି ଆସିବେ କଂଗ୍ରେସ କାର୍ଯ୍ୟକର୍ତ୍ତା?
ଡ୍ରାଇଭର ସଂଘ ସହ ସଲାସୁତୁରାରେ ଅଛନ୍ତି କି ସରକାର?

ଆସନ୍ତାକାଲି ଦିନ ୧୧ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ ରାହୁଲ ଗାନ୍ଧୀ । ବରମୁଣ୍ଡା ପଡିଆରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେବା ପରେ ସିଧା ପାର୍ଟି ଅଫିସକୁ ଆସିବେ । କଂଗ୍ରେସ ଭବନରୁ ଶାସକ ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ ।