କନକ ବ୍ୟୁରୋ : ଦେଶରେ ନିର୍ବାଚନ ବ୍ୟବସ୍ଥା ମରିଯାଇଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । କଂଗ୍ରେସର ବାର୍ଷିକ ଲିଗାଲ କନକ୍ଲେଭ-୨୦୨୫ରେ ରାହୁଲ କହିଛନ୍ତି, ଗତ ଲୋକସଭା ନିର୍ବାଚନରେ ଅସାଧୁ ବ୍ୟବସ୍ଥା ଅବଲମ୍ୱନ କରାଯାଇଥିଲା । ବିଜେପି ପାଇଁ ନିର୍ବାଚନ କମିସନ ଭୋଟ୍ ଚୋରି କରୁଛନ୍ତି । ଶୀଘ୍ର ଦେଶବାସୀଙ୍କୁ ଏହାର ପ୍ରମାଣ ଦିଆଯିବ । ଏହି ପ୍ରମାଣ ଏକ ପରମାଣୁ ବୋମା ଭଳି। ଏହା ବିସ୍ଫୋରଣ ହେଲେ ନିର୍ବାଚନ କମିସନ ରହିବ ନାହିଁ ବୋଲି କହିଛନ୍ତି ରାହୁଲ ।
ରାହୁଲ ଗାନ୍ଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନିର୍ବାଚନ କମିସନଙ୍କ ସଚ୍ଚୋଟ ପଣିଆ ଉପରେ ପ୍ରଶ୍ନ ଉଠୁନାହିଁ । ରାହୁଲ ଭୋଟ୍ ଚୋରି ଭଳି ଅଭିଯୋଗର ‘ପରମାଣୁ ବୋମା ପ୍ରମାଣ ବିସ୍ଫୋରଣ କରନ୍ତୁ’ ବୋଲି ରାଜନାଥ ଆହ୍ୱାନ ଦେଇଛନ୍ତି। ଅତୀତରେ ରାହୁଲ ସଂସଦରେ ଭୂମିକମ୍ପର ଧମକ ଦେଇଥିଲେ ବୋଲି ରାଜନାଥ ତାତ୍ସଲ୍ୟ କରିଛନ୍ତି ।
ବିହାରରେ ଭୋଟର ତାଲିକା ସଂଶୋଧନ ଠାରୁ ରାହୁଲ ଗାନ୍ଧୀ ଭୋଟ୍ ଚୋରି ଅଭିଯୋଗ କରି ସମାଲୋଚନା କରିଆସୁଛନ୍ତି । ମହାରାଷ୍ଟ୍ରରେ ବି ଏଭଳି ହୋଇଥିବା ଅଭିଯୋଗ କରାଯାଉଛି। ଯାହାକୁ ବାରମ୍ୱାର ଖଣ୍ଡନ କରୁଛନ୍ତି ନିର୍ବାଚନ କମିସନ । ରାଜନୈତିକ ସ୍ତରରେ ବି ଆରୋପ ପ୍ରତ୍ୟାରୋପ ଲାଗି ରହିଛି।