କନକ ବ୍ୟୁରୋ : ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ବିରୋଧରେ ସଂସଦ ଠାରୁ ନେଇ ସଡ଼କ ପର୍ଯ୍ୟନ୍ତ ମୋର୍ଚ୍ଚା ଖୋଲିଛନ୍ତି । ମୋଦୀ ସରକାର ଓ ବିଜେପିକୁ ଘେରିବାରେ କୌଣସି ବି ସୁଯୋଗ ରାହୁଲ ଗାନ୍ଧୀ ହାତଛଡ଼ା କରୁନାହାଁନ୍ତି । ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଅର୍ଥନୀତିକୁ ମୃତ ଅର୍ଥନୀତି କହିଲେ, ରାହୁଲ ଗାନ୍ଧୀ ବି ଏହି ପ୍ରସଙ୍ଗକୁ ନେଇ ବିଜେପିକୁ କଟାକ୍ଷ କରିବା ଆରମ୍ଭ କରିଦେଲେ । ଟ୍ରମ୍ପଙ୍କ ସ୍ୱରରେ ରାହୁଲ ସ୍ୱର ମିଳାଇ କହିଲେ, ବାସ୍ତବରେ ଗତ ୧୧ ବର୍ଷ ହେବ ଭାରତର ଅର୍ଥନୀତି ଏକ ମୃତ ଅର୍ଥନୀତି ଭଳି ସ୍ଥିର ହୋଇସାରିଛି । କେବଳ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ବ୍ୟତୀତ ବିଜେପିର ସମସ୍ତ କେନ୍ଦ୍ରମନ୍ତ୍ରୀ ଏକଥା ଜାଣିଛନ୍ତି ।
ରାହୁଲ ଗାନ୍ଧୀ କହିଛନ୍ତି ଆଦାନୀଙ୍କ ସାହାଯ୍ୟ କରିବାକୁ ଯାଇ ମୋଦୀ ସରକାର ଦେଶର ଅର୍ଥନୀତିକୁ ମୃତ୍ୟୁମୁହଁକୁ ଠେଲି ଦେଇଛନ୍ତି । ରାହୁଲଙ୍କ ଏଭଳି ବୟାନକୁ ବିଜେପି ବିରୋଧ କରୁଥିବା ବେଳେ କଂଗ୍ରେସର କିଛି ବର୍ିଷ୍ଠ ନେତା ମଧ୍ୟ ଏହା ବିରୋଧରେ ମୁହଁ ଖୋଲିଛନ୍ତି ।
କଂଗ୍ରେସ ସାଂସଦ ମନୀଷ ତିୱାରୀ, ଶିଶି ଥରୁର୍ ଓ ରାଜୀବ ଶୁକ୍ଳାଙ୍କ ବୟାନ ଶୁଣିଲେ ଆପଣ ଜାଣିପାରିବେ ସେମାନେ କିଭଳି ରାହୁଲ ଗାନ୍ଧୀଙ୍କ ବୟାନକୁ ବିରୋଧ କରୁଛନ୍ତି । ରାହୁଲ ଗାନ୍ଧୀ ଟ୍ରମ୍ପଙ୍କ ବୟାନକୁ ସମର୍ଥନ କରୁଥିବା ବେଳେ ଶଶି ଥରୁର୍, ମନୀଷ ତିୱାରୀ ଓ ରାଜୀବ ଶୁକ୍ଳା ଅଲଗା ଲାଇନ ଆପଣାଇଛନ୍ତି । ଏହି ୩ ସାଂସଦ ଟ୍ରମ୍ପଙ୍କ ବୟାନକୁ ଖଣ୍ଡନ କରିବା ସହ ଏହା ଭୁଲ ବୋଲି କହିଛନ୍ତି ।
ମୋଦୀ ସରକାରଙ୍କ ରାହୁଲ ଗାନ୍ଧୀ ପ୍ରତିଟି କ୍ଷେତ୍ରରେ ବିରୋଧ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଜେପି ନୁହେଁ ବରଂ କଂଗ୍ରେସରୁ ରାହୁଲ ଗାନ୍ଧୀଙ୍କ ଉପରେ ବରିଷ୍ଠ ସାଂସଦ ମାନେ ପ୍ରତିବନ୍ଧକ ଲଗାଉଛନ୍ତି । ଟ୍ରମ୍ପଙ୍କ ମୃତ ଅର୍ଥନୀତି ବୟାନକୁ ନେଇ ରାଜୀବ ଶୁକ୍ଳା କହିଛନ୍ତି ଟ୍ରମ୍ପ ଭୁଲ କହୁଛନ୍ତି । ଭାରତୀୟ ଅର୍ଥ ବ୍ୟବସ୍ଥା ସୁଧାର ନରସିହ୍ମା ରାଓଙ୍କ ଠାରୁ ଆରମ୍ଭ ହୋଇ ମନମୋହନ ସିଂଙ୍କ କାର୍ଯ୍ୟକାଳ ପର୍ଯ୍ୟନ୍ତ ଆଗକୁ ବଢିଛି । ଅଟଳ ବିହାରୀ ବାଜପେୟୀ ଏହି ସୁଧାର ବ୍ୟବସ୍ଥାକୁ ଆଗକୁ ବଢାଇଥିଲେ । ଏବେର କେନ୍ଦ୍ର ସରକାର ବି ଏହା ଉପରେ କାମ କରୁଛନ୍ତି । ଆମର ଆର୍ଥିକ ସ୍ଥିତି କେବେ ବି ଦୁର୍ବଳ ନୁହେଁ ।
କଂଗ୍ରେସ ସାଂସଦ ଶଶି ଥରରୁ ମଧ୍ୟ ଟ୍ରମ୍ପ ଓ ରାହୁଲ ଗାନ୍ଧୀଙ୍କ ବୟାନକୁ ଭୁଲ ବୋଲି କହିଛନ୍ତି । ସେପଟେ ଟାରିଫ ବିବାଦରେ ଏବେ ଆମେରିକା ସହ ବାଣିଜ୍ୟ ବାର୍ତ୍ତା ଜାରି ରହିଛି । ଏଥିରେ ସୁଫଳ ନମିଳିଲେ ନିଶ୍ଚିତ ଭାବେ ଭାରତର କ୍ଷତି ହେବ । ମନୀଷ ତିୱାରୀ କହିଛନ୍ତି ଭାରତ ଏବେ ଆତ୍ମନିର୍ଭର ଶକ୍ତି । ନେହରୁଙ୍କ ସରକାର ସମୟରେ ଆରମ୍ଭ ହୋଇଥିବା ଗୋଷ୍ଠୀ ନିରପେକ୍ଷତା ଓ ଆଜି ମୋଦୀଙ୍କ ନେତୃତ୍ୱରେ ଆତ୍ମନିର୍ଭର ଭାରତ ଦେଶର ଅର୍ଥନୀତିକୁ ସୁଦୃଢ କରିବାରେ ଲାଗିଛି ।
ଏହା କଂଗ୍ରେସ ପାଇଁ ଆଜିର ସମସ୍ୟା ନୁହେଁ । ଯେବେ ଯେବେ ବି ରାହୁଲ ଗାନ୍ଧୀ ବିଜେପି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି, ସେତେବେଳେ ନିଜ ଦଳର କେହି ନା କେହି ବରିଷ୍ଠ ନେତା ରାହୁଲଙ୍କୁ ବିରୋଧ କରିଛନ୍ତି । ଯେତେବେଳେ ଦେଶର ଯୁବସମାଜ ପାଇଁ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବୃଦ୍ଧି ପାଉଛି । ଦଳର ଯୁବନେତାମାନେ ରାହୁଲଙ୍କୁ ଅନୁସରଣ କରୁଛନ୍ତି, ସେତେବେଳେ କିଛି ବରିଷ୍ଠ ନେତା ଦଳ ଭିତରେ ଥାଇ ଦଳର ନେତୃତ୍ୱଙ୍କୁ ବିରୋଧ କରିବା ସମସ୍ତଙ୍କୁ ଚକିତ କରୁଛି ।