କନକ ବ୍ୟୁରୋ : ଓଡ଼ିଶାରେ ସରକାର ବଦଳିଲା । ରାହୁଲ ଗାନ୍ଧୀଙ୍କ ଆଚରଣ ବଦଳିଲା । ଏଥର କଂଗ୍ରେସର ଫୋକସରେ ମିସନ ଓଡ଼ିଶା । ଯାହାର ଦାୟିତ୍ବ ନିଜେ ନେଇଛନ୍ତି ରାହୁଲ । ଏଥିପାଇଁ ଆସନ୍ତା ୧୧ ତାରିଖରେ ସମ୍ବିଧାନ ବଞ୍ଚାଅ ସମାବେଶ ଜରିଆରେ ଓଡ଼ିଶାବାସୀଙ୍କ ମୁଡ୍ ପରଖିବାକୁ ଚାହୁଛନ୍ତି ରାହୁଲ । ବର୍ଷକର ବିଜେପି ସରକାରକୁ ନେଇ ଥିବା ବିରୋଧାଭାଷର ଫାଇଦା ନେବା ଲକ୍ଷ୍ୟରେ କଂଗ୍ରେସ । ଓଡ଼ିଶା ଦଖଲ ପାଇଁ ଦିଲ୍ଲୀରୁ ନୀଳନକ୍ସା ଧରି ଆସୁଛନ୍ତି କଂଗ୍ରେସର ଟପ୍-୩ ନେତା । ବରମୁଣ୍ଡା ସମାବେଶ ପରେ ବିସ୍ଥାପିତ ଓ ଚାଷୀଙ୍କୁ ଭେଟିବେ ରାହୁଲ । ଏହାପରେ ସିଧା କଂଗ୍ରେସର ପ୍ରଦେଶ କାର୍ଯ୍ୟାଳୟରେ ପଡ଼ିବ ରାହୁଲଙ୍କ ପାଦ । ଦୀର୍ଘ ବର୍ଷ ପରେ ସଙ୍ଗଠନକୁ ନେଇ ପାର୍ଟି ଅଫିସରେ ହେବ ମାନସମନ୍ଥନ । ପିଏସି କମିଟି ସହ ଦଳର ତୁଙ୍ଗ ନେତାଙ୍କ ସହ ଚାଲିବ କବାଟକିଳା ଆଲୋଚନା । ଓଡ଼ିଶାରେ କଂଗ୍ରେସ ପାଇଁ ସୃଷ୍ଟି ହୋଇଥିବା ସୁଯୋଗକୁ ସଫଳତାରେ ପରିଣତ କରିବାକୁ ଗୁରୁମନ୍ତ୍ର ଦେବେ ଦଳର ଶୀର୍ଷ ନେତୃତ୍ବ ।

Advertisment
rahul-gandhi
rahul-gandhi Photograph: (google)

ଫୋକସ୍‌ରେ ୨୦୨୯ ନିର୍ବାଚନ । ଏବେଠୁ ଅଙ୍କ କଷିଲେଣି ରାହୁଲ । ସାଧାରଣ ନିର୍ବାଚନକୁ ଆହୁରି ୪ ବର୍ଷ ରହିଛି । କିନ୍ତୁ କଂଗ୍ରେସ ଏବେଠୁ ନିଜର ପ୍ରସ୍ତୁତିକୁ ଜୋରଦାର କଲାଣି । ଖାସ୍ କରି ବର୍ଷେ ଭିତରେ ରାହୁଲ ୧୦୦ଟି ଲୋକସଭା ନିର୍ବାଚନ ମଣ୍ଡଳୀ ବୁଲି କଂଗ୍ରେସ ସଙ୍ଗଠନରେ ଜୋଶ୍ ଭରିବେ । ଓଡ଼ିଶାର ନବରଙ୍ଗପୁର ଓ କୋରାପୁଟ ଆସନ ରାହୁଲଙ୍କ ଫୋକସ୍‌ ତାଲିକାରେ ରହିଛି । ଓଡ଼ିଶାରେ ସଙ୍ଗଠନକୁ ଆହୁରି ସକ୍ରିୟ କରିବାକୁ ଯୁବ ଓ ଆଗ ଧାଡ଼ିର ନେତାଙ୍କୁ ବାଣ୍ଟିବେ ଦାୟିତ୍ବ । ଯାହାର ରିପୋର୍ଟ ନିଜେ ଦେଖିବେ ରାହୁଲ । ଆଗାମୀ ଦିନରେ ଲଗାତାର ଓଡ଼ିଶା ଆସି କଂଗ୍ରେସ ପାଇଁ ମାହୋଲ ସୃଷ୍ଟି କରିବେ । ରାହୁଲଙ୍କ ଓଡ଼ିଶା ଗସ୍ତ ପାଇଁ ଏବେ ଚଳଚଞ୍ଚଳ କଂଗ୍ରେସ ଶିବିର । ଛାମୁଆ ସଙ୍ଗଠକ, ନେତା, କର୍ମୀ ସଭିଙ୍କ ମନରେ ଉତ୍ସାହ ଓ ଉନ୍ମାଦନା । ସଭିଙ୍କ ମୁହଁରେ ଗୋଟିଏ କଥା ମରିଯାଇଥିବା ସ୍ବପ୍ନକୁ ପୁଣିଥରେ ଜୀବନ୍ୟାସ ଦେବ ରାହୁଲଙ୍କ ମିସନ ଓଡ଼ିଶା ।