କନକ ବ୍ୟୁରୋ: ବିହାରରେ ଭୋଟର ଅଧିକାର ଯାତ୍ରା ପାଟନାରେ ପହଞ୍ଚିସାରିଛି । ରାହୁଲ ବିରୋଧୀଙ୍କୁ ଏକାଠି କରିବାରେ ସଫଳ ହେଇଛନ୍ତି । ହେଲେ ଏ ଭୋଟର ଅଧିକାର ଯାତ୍ରା ଲୋକଙ୍କୁ କେତେ ଛୁଇଁଛି, ତାହା ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା । ଖାସ୍ କରି ଏ ଯାତ୍ରା କାହାକୁ ଫାଇଦା ଦେବ? କଂଗ୍ରେସକୁ ବିହାରରେ କେତେ ମଝବୁତ୍ କରିବ ଏବେ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।
ବିହାରରେ ଭୋଟର ଅଧିକାର ଯାତ୍ରା ରାହୁଲଙ୍କ କ୍ୟାପଟେନ୍ସିଂରେ ଆରମ୍ଭ ହେଇଥିଲା, ମଝିରେ ତେଜସ୍ୱୀ ଯାଦବ ମଧ୍ୟ କିଛି ସମୟ ପାଇଁ ଯାତ୍ରାର ଲିଡ୍ ନେଲେ । ହେଲେ ଏ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ଥିଲେ ରାହୁଲ ଗାନ୍ଧୀ । ଯାହାକି ବିହାରରେ କଂଗ୍ରେସକୁ ବଳ ଦେବ ବୋଲି ଚର୍ଚ୍ଚା ହେଉଛି ।
ରାହୁଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ତେଜସ୍ୱୀଙ୍କ କଥା ଛିଡିଲାନି
ଏଥର ଭୋଟର ଅଧିକାର ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲେ ତେଜସ୍ୱୀ ଯାଦବ । ସିଧା ସିଧା ଆଗାମୀ ନିର୍ବାଚନରେ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ କରିବା କଥା କହିଥିଲେ ତେଜସ୍ୱୀ । ହେଲେ ରାହୁଲ କିନ୍ତୁ ତେଜସ୍ୱୀଙ୍କ ମୁଖ୍ୟମନ୍ତ୍ରୀ ଚେହେରା ପ୍ରସଙ୍ଗରେ ଚୁପ୍ ରହିଥିଲେ । ଯେହେତୁ ମହାମେଣ୍ଟରେ ଏବେ ପର୍ଯ୍ୟନ୍ତ ସିଟ୍ ବୁଝାମଣାକୁ ନେଇ କଥା ଛିଣ୍ଡିନି ତେଣୁ, ରାହୁଲ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ସପକ୍ଷରେ ନାହାଁନ୍ତି ବୋଲି ଚର୍ଚ୍ଚା ହେଉଛି ।
ଅଖିଳେଶ ପାଖକୁ ଆସିଲେ, ମମତା ଦୂରେଇଲେ
ଭୋଟର ଅଧିକାର ଯାତ୍ରାରେ ଏଥର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଦେଖିବାକୁ ମିଳିଥିଲା । ତା ସହିତ ଇଣ୍ଡି ମେଣ୍ଟର ବଡ଼ ବଡ଼ ନେତାମାନେ ମଧ୍ୟ ଏହି ଯାତ୍ରାରେ ସାମିଲ ହେଇଥିଲେ । ସମାଜବାଦୀ ପାର୍ଟିର ନେତା ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ତ, ଯାତ୍ରାର ଅନ୍ୟତମ ଆକର୍ଷଣ ଥିଲେ । ହେଲେ ଏହି ଯାତ୍ରାରୁ କିନ୍ତୁ ଦୂରେଇ ରହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ମମତା ବାନାର୍ଜୀ ନିଜେ ଯାତ୍ରାରେ ସାମିଲ ହେଲେନି, କିମ୍ବା ତାଙ୍କର କୌଣସି ନେତାଙ୍କୁ ମଧ୍ୟ ଏହି ଯାତ୍ରାରେ ଦେଖିବାକୁ ମିଳିଲାନି । ତେଣୁ କେଉଁଠା ନା କେଉଁଠି ମମତା ଦିଦି ଇଣ୍ଡି ମେଣ୍ଟର ଦଳମାନଙ୍କ ସହ ଖପ୍ପା ଥିବା ଚର୍ଚ୍ଚା ହେଉଛି । ରାହୁଲଙ୍କ ଭୋଟର ଅଧିକାର ଯାତ୍ରା, କେତେ ଫାଇଦା ଦେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ । ୨୦୨୪ ପୂର୍ବରୁ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା କଂଗ୍ରେସକୁ ଯେପରି ବଳ ଦେଲା, ସେମିତି ଯଦି ଏଥର ବିହାରରେ ଦେଖିବାକୁ ମିଳିବ, ତେବେ ଏବେ ମହାମେଣ୍ଟକୁ ଫାଇଦା ଦେବ ।