କନକ ବ୍ୟୁରୋ: “ଟ୍ରମ୍ପଙ୍କ କଥାରେ ମୋଦୀ ସରେଣ୍ଡର୍ କରିଦେଲେ, ସେପଟୁ ଟ୍ରମ୍ପ ଫୋନ୍ କଲେ ଆଉ ଏପଟୁ ମୋଦୀ ଟ୍ରମ୍ପଙ୍କ କଥା ମାନି ସରେଣ୍ଡର୍ କରିଦେଲେ । ହେଲେ କଂଗ୍ରେସ କିନ୍ତୁ ସରେଣ୍ଡର୍ କରେନି । ଗାନ୍ଧିଜୀ, ନେହରୁ, ସର୍ଦ୍ଦାର ପଟେଲଙ୍କ ଭଳି ନେତା ସୁପରପାଓ୍ୱାର ସହ ଲଢ଼ୁଥିବା ଲୋକ”, କିଛି ଏଭଳି କଥା କହିବା ସହିତ ଭାରତ-ପାକିସ୍ତାନ ଯୁଦ୍ଧ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।
ରାହୁଲ ଗାନ୍ଧୀ ମଙ୍ଗଳବାର ମଧ୍ୟପ୍ରଦେଶରେ ପହଞ୍ଚିଥିଲେ । ଆଉ ସେଠାରେ କଂଗ୍ରେସ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଭେଟି ବିଜେପି ଏବଂ ଆରଏସଏସକୁ ଟାର୍ଗେଟ୍ କରିଥିଲେ । ତେବେ ମଧ୍ୟପ୍ରଦେଶରେ ଆସନ୍ତା ୨୦୨୮ରେ ବିଧାନସଭା ନିର୍ବାଚନ ହେବାକୁ ଅଛି, ଆଉ ଏହା ପୂର୍ବରୁ ସେଠାରେ ସଙ୍ଗଠନ ସଜାଡ଼ିବାକୁ ଲାଗି ପଡ଼ିଛନ୍ତି କଂଗ୍ରେସ ନେତା । ଏହି କ୍ରମରେ ଏବେ ବିଜେପି, ଆରଏସଏସକୁ ଟାର୍ଗେଟ୍ କରି କଂଗ୍ରେସ ନେତାଙ୍କ ମନରେ ବଳ ଭରିଛନ୍ତି ।
ରାହୁଲ ଗାନ୍ଧୀ ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କରି କହିଛନ୍ତି, ଦେଶରେ ଏବେ ବିଚାରଧାରାର ଲଢ଼େଇ ଚାଲିଛି । ଗୋଟିଏ ପଟେ କଂଗ୍ରେସ ଏବଂ ସମ୍ବିଧାନ ଆଉ ଅନ୍ୟପଟେ ବିଜେପି ଏବଂ ଆରଏସଏସ୍ । ଯେଉଁମାନେ କି ସମ୍ବିଧାନକୁ ଶେଷ କରିଦେବାକୁ ଚାହୁଛନ୍ତି । ତେବେ ବର୍ତ୍ତମାନ ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକ ବିଜେପି ଏବଂ ଆରଏଏସ୍ ନିୟନ୍ତ୍ରଣକୁ ଚାଲିଯାଇଛି । ଆଉ ଏହି ସବୁ ସଂସ୍ଥାରେ ସେମାନେ ନିଜ ଲୋକଙ୍କୁ ବସାଇଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
ସେ ମୋଦୀ ସରକାରର ବିଦେଶ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଖାସ୍ କରି ଭାରତ-ପାକ୍ ଯୁଦ୍ଧ ସମୟରେ ଭାରତ ସରକାର ଯେଉଁଭଳି ଭାବରେ ଯୁଦ୍ଧବିରତି ଘୋଷଣା କଲେ, ତାକୁ ନେଇ ବିଜେପି ସରକାରକୁ ଟାର୍ଗେଟ୍ କରିଛନ୍ତି ରାହୁଲ ।