କନକ ବ୍ୟୁରୋ: ନିର୍ବାଚନ କମିସନ ଓ ବିଜେପିକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାରମ୍ୱାର ଟାର୍ଗେଟ୍ କରିବା ସହ ଏବେ ଏଥିପାଇଁ ଦେଶର ଯୁବବର୍ଗଙ୍କୁ ଆହ୍ବାନ ଦେଇଛନ୍ତି । ସେପଟେ ଭୋଟ୍ ଚୋରି ବିରୋଧରେ ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଆରମ୍ଭ କରିଛନ୍ତି ଦସ୍ତଖତ ସଂଗ୍ରହ ଅଭିଯାନ । ବିଜେପି କଡ଼ା ସମାଲୋଚନା କରିଛି ।

Advertisment

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଜେନ୍ ଜି’ଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆହ୍ବାନ । ଭୋଟ୍ ଚୋରି ରୋକିବା ପାଇଁ ରାହୁଲ ଆହ୍ୱାନ ଦେଇଛନ୍ତି । ରାହୁଲ ଲେଖିଛନ୍ତି, ଦେଶର ସମ୍ୱିଧାନ ଏବଂ ଗଣତନ୍ତ୍ରକୁ ଦେଶର ଯୁବ ଓ ଛାତ୍ର ସମାଜ ରକ୍ଷା କରିବେ । ଏଥିସହିତ ଭୋଟ୍ ଚୋରି ଉଦ୍ୟମକୁ ରୋକିବେ । ସେମାନଙ୍କ ସହ ମୁଁ ଅଛି ବୋଲି ରାହୁଲ ଲେଖିଛନ୍ତି ।

ରାହୁଲଙ୍କୁ ସାଥ୍ ଦେଲେ ଭଉଣୀ ପ୍ରିୟଙ୍କା
ଆରମ୍ଭ କଲେ ଦସ୍ତଖତ ସଂଗ୍ରହ ଅଭିଯାନ

ଭୋଟ୍ ଚୋରି ଅଭିଯୋଗ ନେଇ ରାହୁଲ ଗାନ୍ଧୀଙ୍କ ସାଥ୍ ଦେଇଛନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଭୋଟ୍ ଚୋରି ବିରୋଧରେ କଂଗ୍ରେସ ସାଧାରଣ ସମ୍ପାଦିକା ତଥା ୱାୟନାଡ ସାଂସଦ ପ୍ରିୟଙ୍କା ଦସ୍ତଖତ ଅଭିଯାନ ଆରମ୍ଭ କରି ଏଥିରେ ସାମିଲ ହେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।  ଜଣେ ଲୋକ, ଗୋଟିଏ ଭୋଟ୍ ଓ ସମ୍ୱିଧାନ ସୁରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରିୟଙ୍କା ।
 
ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହାକୁ କଡ଼ା ସମାଲୋଚନା କରି କହିଛନ୍ତି, ଦେଶର ଜେନ୍ -ଜି ଗୋଷ୍ଠୀ ଦୁର୍ନୀତି ଓ ପାରିବାରିକ ଶାସନକୁ ବିରୋଧ କରୁଛନ୍ତି । ସେମାନେ ‘ରାହୁଲଙ୍କୁ ପ୍ରତ୍ୟାଖ୍ୟାନ କରିବେ’ । ଜେନ୍- ଜି ଗୋଷ୍ଠୀ ବାଂଲାଦେଶରେ ଇସଲାମିକ ଓ ନେପାଳରେ ହିନ୍ଦୁରାଷ୍ଟ୍ର ଚାହୁଛନ୍ତି । ଭାରତକୁ ହିନ୍ଦୁରାଷ୍ଟ୍ର କରିବାକୁ କାହିଁକି ନଚାହିବେ ବୋଲି ନିଶିକାନ୍ତ ପ୍ରଶ୍ନ କରିଛନ୍ତି । ଭୋଟ୍ ଚୋରି ଅଭିଯୋଗ ନେଇ କିଛି ଦିନ ହେଲା ଆରୋପ, ପ୍ରତ୍ୟାରୋପ ଓ ସ୍ପଷ୍ଟୀକରଣ ରାଜନୈତିକ ବାତାବରଣକୁ ସରଗରମ କରି ରଖିଛି ।