କନକ ବ୍ୟୁରୋ : ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ବିହାର ଗସ୍ତରେ ଅଛନ୍ତି । ରାହୁଲ ଆଜି ପାଟଣାରୁ 'ଭୋଟର ଅଧିକାର ଯାତ୍ରା'ର ଶଙ୍ଖନାଦ କରିଛନ୍ତି । ଯଦିଓ, ବିହାର ଯିବା ସମୟରେ ରାହୁଲଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ରାସ୍ତା ମଝିରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ସହ କଥା ହେଉଥିବା ଦେଖାଯାଉଛି । ଆଜି ସକାଳେ ରାହୁଲ ବିହାର ଯିବା ପାଇଁ ନୂଆଦିଲ୍ଲୀ ସ୍ଥିତ ବାସଭବନରୁ ବାହାରିଥିଲେ ଠିକ୍ ସେତେବେଳେ ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କ ଗାଡ଼ି ରାସ୍ତା ମଝିରେ ଅଟକାଇଥିଲେ । ରାହୁଲ କିଛି ସମୟ ତାଙ୍କ ସହ କଥା ହୋଇଥିଲେ ଏବଂ ପରେ ଏୟାରପୋର୍ଟ ଅଭିମୁଖେ ଯାତ୍ରା କରିଥିଲେ ।

Advertisment

ରାହୁଲ ଘରୁ ବାହାରିବା ବେଳେ ବୃଦ୍ଧ ବ୍ୟକ୍ତି ତାଙ୍କୁ ଇସାରା କରିଥିଲେ ଯାହା ପରେ ରାହୁଲ ନିଜ ଗାଡ଼ି ରାସ୍ତା ମଝିରେ ଅଟକାଇ ଦେଇଥିଲେ । ଏହି ସମୟରେ ରାହୁଲ ଗାଡ଼ିରୁ ବାହାରକୁ ଆସିନଥିଲେ କିନ୍ତୁ ସେ ବୃଦ୍ଧ ବ୍ୟକ୍ତିଙ୍କୁ ନିଜ ପାଖକୁ ଡାକି ତାଙ୍କ କଥା ଶୁଣିଥିଲେ ଏବଂ ପରେ ତାଙ୍କୁ କିଛି କହି ସେଠାରୁ ଚାଲିଯାଇଥିଲେ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏହି ବୃଦ୍ଧ ବ୍ୟକ୍ତି ଜଣକ କିଏ ? ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଯେଉଁଥିରେ ସମସ୍ତେ ସେହି ବୃଦ୍ଧ ବ୍ୟକ୍ତିଙ୍କ ବିଷୟରେ ଜାଣିବାକୁ ଇଚ୍ଛାପ୍ରକାଶ କରୁଛନ୍ତି । ବାସ୍ତବରେ ତାଙ୍କ ନାମ କରୁଣା ପ୍ରସାଦ ମିଶ୍ର, ଯିଏ ମଧ୍ୟପ୍ରଦେଶର ସିଧି ଜିଲ୍ଲାର ବାସିନ୍ଦା ଏବଂ ଚୁରହଟ ବିଧାନସଭାର ଭୋଟର ଅଟନ୍ତି । ରାହୁଲଙ୍କ ଗାଡ଼ି ଅଟକାଇବା ପରେ କରୁଣା ପ୍ରସାଦ ତାଙ୍କ ସହ କ'ଣ କଥା ହୋଇଥିଲେ? ଏହି ପ୍ରଶ୍ନରେ କରୁଣା ପ୍ରସାଦ କୁହନ୍ତି, "ଆମେ ବିହାର ଯାତ୍ରା ଉପରେ ହିଁ କଥା ହେଉଥିଲୁ । ଯିବା ସମୟରେ ରାହୁଲ ମୋତେ ଆଶ୍ୱାସନା ଦେଇଥିଲେ ଯେ ସେ ଶୀଘ୍ର ମୋତେ ବିହାର ଡକାଇବାର ବନ୍ଦୋବସ୍ତ କରିବେ । ସେ କହିଥିଲେ "ଆପଣ ନିଜର ନମ୍ବର ଦିଅନ୍ତୁ, ଆମେ ଆପଣଙ୍କ ଆସିବାର ବ୍ୟବସ୍ଥା କରୁଛୁ ।" ରାହୁଲ ମୋତେ ଏଠାରେ ରହିବା ବିଷୟରେ ମଧ୍ୟ ପଚାରିଥିଲେ କିନ୍ତୁ ମୁଁ ମନା କରିଦେଲି । ମୁଁ କହିଲି ଏବେ ସିଧା ବିହାର ଆସିବି ।" ରାହୁଲ ଗାନ୍ଧୀଙ୍କ 'ଭୋଟ ଅଧିକାର ଯାତ୍ରା' ୧୬ ଦିନ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ରାହୁଲ ବିହାରର ୨୦ଟି ଜିଲ୍ଲା ଗସ୍ତ କରିବେ । ରାହୁଲଙ୍କ ୧୬ ଦିନର ଏହି ଯାତ୍ରା ୧୩୦୦ କିଲୋମିଟରରୁ ଅଧିକ ହେବ ।