କନକ ବ୍ୟୁରୋ : ଲୋକସଭାର ବିରୋଧୀଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରାହୁଲ ଗାନ୍ଧୀ ଆମେରିକାର ବ୍ରାଉନ ୟୁନିଭରସିଟିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଜଣେ ଶିଖ୍ ଛାତ୍ର ୧୯୮୪ ଦଙ୍ଗା ନେଇ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି ।
ଛାତ୍ର ଜଣଙ୍କ ରାହୁଲ ଗାନ୍ଧୀଙ୍କୁ ପଚାରିଥିଲେ , ଆପଣ କହୁଛନ୍ତି ରାଜନୀତିରେ ନିର୍ଭୟ ଭାବେ କାମ କରିବା ଦରକାର । ଭୟ ରହିଲେ ରାଜନୀତି କରିପାରିବ ନାହିଁ। ହେଲେ ଆମେ କେବଳ କଡା ପିନ୍ଧିବା କି ପଗଡି ବାନ୍ଧିବା ଚାହୁଁନାହୁଁ । ଆମକୁ ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ଦରକାର । ଯାହା କଂଗ୍ରେସ ଶାସନ କଳରେ ଆମପାଇଁ ଅନୁମତି ନଥିଲା । ଛାତ୍ର ଜଣଙ୍କ କଂଗ୍ରେସ ଉପରେ ଶିଖ୍ ସ୍ୱରକୁ ଅଣଦେଖା କରିବା ଓ ୧୯୮୪ ଦଙ୍ଗାରେ ଅଭିଯୁକ୍ତ ସଜ୍ଜନ କୁମାରଙ୍କୁ କଂଗ୍ରେସ ସମର୍ଥନ କରୁଥିବା ଅଭିଯୋଗ ଆଣିଛନ୍ତି ।
ଏହାର ଉତ୍ତରରେ ରାହୁଲ ଗାନ୍ଧୀ ସ୍ପଷ୍ଟ କହିଛନ୍ତି କି, ୧୯୮୪ ଦଙ୍ଗା ନେଇ କଂଗ୍ରେସର କିଛି ଭୁଲ ରହିଛି । ଏହାସହ ସେ କହିଛନ୍ତି କି, ଇତିହାସରେ କଂଗ୍ରେସ ଯେଉଁ ସବୁ ଭୁଲ କରିଛି ତା'ର ଉତ୍ତରଦାୟିତ୍ୱ ନେବାକୁ ମୁଁ ପ୍ରସ୍ତୁତ । ୮୦ ଦଶକରେ ଯାହା ହୋଇଥିଲା ତାହା ଭୁଲ ବୋଲି ରାହୁଲ ଗାନ୍ଧୀ ସ୍ୱୀକାର କରିଛନ୍ତି । ମୁଁ ଅନେକ ଥର ସ୍ୱର୍ଣ୍ଣ ମନ୍ଦିର ଯାଇଛି ଓ ଭାରତରେ ରହୁଥିବା ଶିଖମାନଙ୍କ ସହ ମୋର ଭଲ ସଂପର୍କ ଥିବା କଥା ରାହୁଲ ଗାନ୍ଧୀ କହିଛନ୍ତି ।