କନକ ବ୍ୟୁରୋ : ଲୋକସଭାର ବିରୋଧୀଦଳ ନେତା ତଥା କଂଗ୍ରେସ ସାଂସଦ ଏକ ନୂଆ ପ୍ରସଙ୍ଗ ଉଠାଇଛନ୍ତି । ପ୍ରୟାଗରାଜରେ ଏକ ସଭାକୁ ଉଦବୋଧନ ଦେବା ଅବସରରେ ରାହୁଲ ପ୍ରଶ୍ନ ପଚାରିଛନ୍ତି କି, ଦଳିତ, ଆଦିବାସୀ ଓ ପଛୁଆବର୍ଗର ମହିଳାଙ୍କ ନାମ କାହିଁକି ବିଶ୍ୱସୁନ୍ଦରୀ ତାଲିକାରେ ନାହିଁ । ସେ ଜାତି ଜନଗଣନାର ମହତ୍ୱକୁ ଦୋହରାଇ କହିଛନ୍ତି କି, ଏହା କେବଳ ଜନଗଣନା ନୁହେଁ ବରଂ ନୀତି ନିର୍ଦ୍ଧାରଣର ଏକ ଆଧାର । 

Advertisment

ଉତ୍ତରପ୍ରଦେଶ ପ୍ରୟାଗରାଜରେ ସମ୍ବିଧାନ ସମ୍ମାନ ସଂପର୍କିତ ଏକ ସମ୍ମିଳନୀକୁ ସମ୍ବୋର୍ଦ୍ଧିତ କରି ରାହୁଲ ଗାନ୍ଧୀ କହିଛନ୍ତି କି, ଦେଶର ୯୦ ପ୍ରତିଶତ ଲୋକ ବ୍ୟବସ୍ଥାର ଭାଗିଦାରୀ ନାହାଁନ୍ତି । ସେମାନଙ୍କ ପାଖରେ କୌଶଳ ଓ ପ୍ରତିଭା ଥିଲେ ବି ସେମାନଙ୍କର ବ୍ୟବସ୍ଥା ସହ କିଛି ସଂପର୍କ ନାହିଁ । ଏଥିପାଇଁ ଜାତି ଜନଗଣନା କରାଇ ସେମାନଙ୍କୁ ସେମାନଙ୍କ ଅଧିକାର ଦେବାକୁ ଚେଷ୍ଟା କରାଯିବା ଉଚିତ୍ । 

ରାହୁଲ ଗାନ୍ଧୀ କହିଛନ୍ତି କି, ମୁଁ ବିଶ୍ୱସୁନ୍ଦରୀ ତାଲିକା ଦେଖିବା ପରେ ପାଇଲି କି କୌଣସି ଦଳିତ, ଆଦିବାସୀ କିମ୍ବା ପଛୁଆବର୍ଗର ମହିଳାଙ୍କ ନାମ ଏହି ତାଲିକାରେ ନାହିଁ । ଏକଥା କେବେ ଗଣମାଧ୍ୟମ ଉଠାଇ ନାହିଁ । ସବୁ ପ୍ରସଙ୍ଗରେ ଗଣମାଧ୍ୟମରେ ଆଗଭର ରହୁଥିବା ବେଳେ ଏହି ପ୍ରସଙ୍ଗ କାହିଁକି ଉଠାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।