Photograph: (kanaknews)
କନକବ୍ୟୁରୋ : ମଧ୍ୟପ୍ରଦେଶରୁ ଭୋଟ ଚୋରି ପ୍ରସଙ୍ଗ ଉଠାଇ ପୁଣି ମୋଦୀ ସରକାର ଉପରେ ବର୍ଷିଲେ ରାହୁଲ । କହିଲେ ପ୍ରତି ୮ ଜଣରେ ଜଣକ ଭୋଟ ଚୋରି କରାଯ।ଇଛି । ହରିୟାଣାରେ ୨୫ ଲକ୍ଷ ଭୋଟ ଚୋରି କରି ସରକାର ଗଠନ କରିଛି ବିଜେପି । ସମାନ ଘଟଣା ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ଘଟିଛି। ବିଜେପି ଓ ନିର୍ବାଚନ କମିସନଙ୍କ ମଧୁଚନ୍ଦ୍ରିକାରେ ଦେଶରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଭୋଟି ଚୋରିର ଅନେକ ପ୍ରମାଣ ରହିଛି । ଆଗକୁ ପର୍ଯ୍ୟାୟକ୍ରମେ ତାହାର ପର୍ଦ୍ଦାଫାସ କରାଯିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଭୋଟି ଚୋରିକୁ ଆନୁଷ୍ଠାନିକ ଢଙ୍ଗରେ ବୈଧ କରିବାକୁ ଏବେ ସରକାର ଏସଆଇଆର ଆଣିଥିବା ସେ ଅଭିଯୋଗ କରିଛନ୍ତି ।
ଅଧିକ ପଢନ୍ତୁ... ଡିସେମ୍ବର ପହିଲାରୁ ୧୯ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ
ସୂଚନା ଅନୁଯାୟୀ ହରିୟାଣା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗ ଉପରେ ବିଜେପି ପ୍ରତିଆକ୍ରମଣ କରିଛି। ବିଜେପି ନେତା କିରେନ ରିଜିଜୁ ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ରାହୁଲ ଗାନ୍ଧୀ ନିଜର ବିଫଳତାକୁ ଲୁଚାଇବା ପାଇଁ ପୁଣି ଥରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି । ସେ କହିଛନ୍ତି, କେହି ଜଣେ ପିପିଟି ତିଆରି କରି ରାହୁଲ ଗାନ୍ଧୀଙ୍କୁ ଦିଅନ୍ତି ଏବଂ ତା'ପରେ ତାହା ଦେଖାଇ ରାହୁଲ ପଳାଇ ଯାଆନ୍ତି । ରିଜିଜୁ କହିଛନ୍ତି, ବିହାରରେ ଭୋଟ୍ ଗୋଟିଏ ଦିନ ପରେ, କିନ୍ତୁ ଆଜି ରାହୁଲ ଗାନ୍ଧୀ ହରିୟାଣାର କାହାଣୀ କହୁଛନ୍ତି। ଏଥିରୁ ସ୍ପଷ୍ଟ ଯେ, ବିହାରରେ ନିର୍ବାଚନ ପାଇଁ କଂଗ୍ରେସ ପାଖରେ ଆଉ କୌଣସି ପ୍ରସଙ୍ଗ ବାକି ନାହିଁ, ତେଣୁ ଭୋଟରଙ୍କ ଧ୍ୟାନ ହଟାଇବା ପାଇଁ ହରିୟାଣାର ପ୍ରସଙ୍ଗ ଉଠାଯାଉଛି ।
ଅଧିକ ପଢନ୍ତୁ .... ଦିଲ୍ଲୀ-ଏନସିଆରରେ ନିଶ୍ବାସ ନେବା ହୋଇପଡ଼ିଲାଣି କଷ୍ଟକର : ୨୩ଟି ଅଞ୍ଚଳରେ ୪୦୦ ଅତିକ୍ରମ କଲା ଏକ୍ୟୁଆଇ
ଆମେ ନିର୍ବାଚନ କମିସନଙ୍କୁ ଖରାପ ବ୍ୟବହାର କରିନାହୁଁ
ବିଜେପି ନେତା କହିଛନ୍ତି, ରାହୁଲ ଗାନ୍ଧୀ ମନ୍ତବ୍ୟ ଦେଇଛନ୍ତି,ଏକଜିଟ୍ ପୋଲରେ କଂଗ୍ରେସ ବିଜୟର ପୂର୍ବାନୁମାନ କରାଯାଇଥିଲା। ୨୦୦୪ ନିର୍ବାଚନ ସମୟରେ ଏକଜିଟ୍ ପୋଲ ଏବଂ ମତାମତ ପୋଲରେ ମଧ୍ୟ ବିଜେପି ଏନଡିଏର ବିଜୟ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା, କିନ୍ତୁ ଭୋଟ ଗଣନା ଫଳାଫଳରେ ଏନଡିଏର ପରାଜୟ ଦେଖାଯାଇଥିଲା । ବିଜେପି ନେତା କହିଛନ୍ତି, ଆମେ ଫଳାଫଳକୁ ଗ୍ରହଣ କରିଥିଲୁ ଏବଂ ୟୁପିଏକୁ ଅଭିନନ୍ଦନ ଜଣାଇଥିଲୁ, କିନ୍ତୁ ଆମେ ନିର୍ବାଚନ କମିସନଙ୍କୁ ଖରାପ ପବ୍ୟବହାର କରି ନଥିଲୁ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରରେ ବିଜୟ ଏବଂ ପରାଜୟ ଉଭୟକୁ ଗ୍ରହଣ କରିବାକୁ ପଡ଼ିବ। ତଥାପି, ଯେତେବେଳେ ଏକଜିଟ୍ ପୋଲ କଂଗ୍ରେସ ଦଳକୁ ସପକ୍ଷ କରେ, ସେମାନେ ଏହାକୁ ପ୍ରଶଂସା କରନ୍ତି, ଏବଂ ଯେତେବେଳେ ଏହା କଂଗ୍ରେସର ବିରୋଧରେ ଯାଏ ସେମାନେ ଫଳାଫଳକୁ ଗଣମାଧ୍ୟମରେ ସମାଲୋଚନା କରନ୍ତି। ରିଜିଜୁ କହିଛନ୍ତି, କର୍ମୀଙ୍କ ସମର୍ପଣ ହେଉଛି ବିଜେପିର ଶକ୍ତି। ଆମେ ନିରନ୍ତର ସଂଘର୍ଷ ମାଧ୍ୟମରେ ବିଜୟ ହାସଲ କରିଛୁ।
କଂଗ୍ରେସ ନେତାମାନେ ପରାଜୟ ପୂର୍ବାନୁମାନ କରିଥିଲେ
କିରେନ ରିଜିଜୁ କହିଛନ୍ତି, ହରିୟାଣା ନିର୍ବାଚନ ସମୟରେ, ବରିଷ୍ଠ କଂଗ୍ରେସ ନେତ୍ରୀ କୁମାରୀ ସେଲଜା ନିଜେ କହିଥିଲେ ଯେ, କଂଗ୍ରେସ ସେଠାରେ ଜିତିବ ନାହିଁ କାରଣ ଏହାର ନିଜ ନେତାମାନେ ଦଳକୁ ପରାସ୍ତ କରିବାକୁ ଚେଷ୍ଟା କରୁଛନ୍ତି। ପରବର୍ତ୍ତୀ ସମୟରେ, ଜଣେ ପୂର୍ବତନ କଂଗ୍ରେସ ମନ୍ତ୍ରୀ ଇସ୍ତଫା ଦେଇଥିଲେ ଏବଂ ସ୍ପଷ୍ଟ ଭାବରେ କହିଥିଲେ, କଂଗ୍ରେସ ହରିୟାଣାରେ ହାରିଛି କାରଣ ଦଳର ନେତାମାନେ ତୃଣମୂଳ ସ୍ତରରେ କାମ କରୁ ନଥିଲେ।
ବିଜେପି ନେତା କହିଛନ୍ତି, ରାଜ୍ୟ ସଭାପତି ରାଓ ନରେନ୍ଦ୍ର ସିଂହ ସ୍ୱୀକାର କରିଛନ୍ତି, କଂଗ୍ରେସ ଦଳ ଭିତରେ ତୃଣମୂଳ ସ୍ତରରେ କୌଣସି ସମନ୍ୱୟ ନାହିଁ। ଏପରିସ୍ଥଳେ କଂଗ୍ରେସ କିପରି ଜିତିପାରିବ? ରିଜିଜୁ ପ୍ରଶ୍ନ କରିଛନ୍ତି ହରିୟାଣାରେ ଭୋଟ ଚୋରି ନେଇ ପୋଲିଂ ଏଜେଣ୍ଟମାନେ କାହିଁକି ଆପତ୍ତି ଦାଖଲ କଲେ ନାହିଁ।
ଭୋଟର ତାଲିକାରେ ନାମ କାଟିବା ପରେ ନାମ ଯୋଡ଼ିବାର ଏକ ବ୍ୟବସ୍ଥା ମଧ୍ୟ ଅଛି। ସେମାନଙ୍କ ନିଜ ନେତାମାନେ ଦାବି କରୁଛନ୍ତି ଯେ, କଂଗ୍ରେସ ନିଜ ଦୋଷ ଯୋଗୁ ହାରିଛି। ଏପରିସ୍ଥଳେ ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଯୋଗୁ ହାରିଥିବା ଅଭିଯୋଗକୁ କିଏ ବିଶ୍ୱାସ କରିବ?
---
Follow Us