କନକ ବ୍ୟୁରୋ : ମହାରାଷ୍ଟ୍ରରେ ଗତକାଲି ରାତିରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ରାଜନୀତି ସରଗରମ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ମହରାଷ୍ଟ୍ରର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରାହୁଲ ଗାନ୍ଧୀ ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି, ମହାରାଷ୍ଟ୍ରରେ ବିଜେପି ମେଣ୍ଟ ସରକାର ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଧ୍ୱଂସ କରିଦେଇଛନ୍ତି । ସୂଚନା ଥାଉକି, ବାବା ସିଦ୍ଦିକ ଅଜିତ ପାୱାର ଗୋଷ୍ଠୀର ଏନସିପିରେ ଯୋଗ ଦେବା ପୂର୍ବରୁ ଦୀର୍ଘବର୍ଷ ଧରି କଂଗ୍ରେସ ପାଇଁ କାମ କରୁଥିଲେ । 

Advertisment

ରାହୁଲ ଗାନ୍ଧୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରି ଲେଖିଛନ୍ତି କି, ବାବା ସିଦ୍ଦିକିଙ୍କ ହତ୍ୟା ମୋତେ ମର୍ମାହତ କରିଛି, ଏଭଳି ଦୁଃଖଦ ସମୟରେ ମୁଁ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଉଛି । ଏଭଳି ଭୟାବହ ଘଟଣା ମହାରାଷ୍ଟ୍ରର ଖରାପ ଆଇନ ବ୍ୟବସ୍ଥାକୁ ଉଜାଗର କରିଛି । ବାବା ସିଦ୍ଦିକିଙ୍କ ହତ୍ୟାର ଉତ୍ତରଦାୟିତ୍ୱ ମହାରାଷ୍ଟ୍ର ସରକାର ନିଅନ୍ତୁ ବୋଲି ସେ କହିଛନ୍ତି ।