କନକ ବ୍ୟୁରୋ: ରାହୁଲ ଗାନ୍ଧୀ ଏବେ ଏବେ ଗୁଜରାଟରୁ ଫେରିଛନ୍ତି, ଆଉ ପୁଣିଥରେ ଗୁଜରାଟ ଯିବାକୁ ଯାଉଛନ୍ତି । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଆଲୋଚନା । କାହିଁକି ଏତେଥର ଗୁଜରାଟ ଯାଉଛନ୍ତି ରାହୁଲ? ରାହୁଲଙ୍କ ବାରମ୍ବାର ଗୁଜରାଟ ଗସ୍ତ ପଛର କାରଣ କଣ? ତେବେ ଅସଲ କଥା ହେଉଛି, ଗୁଜୁରାଟରେ କଂଗ୍ରେସର ନଗର ଏବଂ ଜିଲ୍ଲା ସଭାପତିମାନଙ୍କର ତାଲିମ ଚାଲିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ତାଲିମ ଶିବିରର ଉଦଘାଟନ କରିଥିଲେ ଏବଂ ଏହାପରେ ରାହୁଲ ଗାନ୍ଧୀ ଗୁଜୁରାଟରେ ବିଜେପିକୁ କ୍ଷମତାରୁ ବାହାର କରିବା ପାଇଁ କଂଗ୍ରେସ ପଦାଧିକାରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ବିଷୟରେ କହିଥିଲେ ।

Advertisment

ତେବେ ଜାଣିରଖିବା ଉଚିତ ଯେ, ଗତ ସାତ ମାସ ଭିତରେ, ରାହୁଲ ଗାନ୍ଧୀ ପାଞ୍ଚଥର ଗୁଜରାଟ ଗସ୍ତ କରିସାରିଛନ୍ତି, ଯେଉଁଥିରେ ଥରେ ସେ କଂଗ୍ରେସର ଜାତୀୟ ସମ୍ମିଳନୀରେ ଯୋଗଦେବା ମଧ୍ୟ ସାମିଲ ଅଛି । ତେବେ ରାହୁଲଙ୍କ ପରବର୍ତ୍ତୀ ଗୁଜରାଟ ଗସ୍ତ ନେଇ ସେପ୍ଟେମ୍ବର ୧୮ରେ ତାରିଖ ଧାର୍ଯ୍ୟ ହୋଇଛି । ଯେଉଁଥିରେ କି ରାହୁଲ ଗାନ୍ଧୀ କଂଗ୍ରେସର ନଗର ଏବଂ ଜିଲ୍ଲା ସଭାପତିମାନଙ୍କ ସହିତ ଆଲୋଚନା କରିବେ ।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନେତାମାନଙ୍କୁ ଟିପ୍ସ ଦେଇଛନ୍ତି, ଯାହା କାର୍ଯ୍ୟକାରୀ କରି କଂଗ୍ରେସ ୨୦୨୭ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବାକୁ ଅଙ୍କ କଷୁଛି । ରାହୁଲ ଗାନ୍ଧୀ ନେତାମାନଙ୍କୁ ସେମାନଙ୍କର ମତଭେଦ ଭୁଲି କଂଗ୍ରେସକୁ ମଜବୁତ କରିବା ପାଇଁ କାମ କରିବାକୁ ନିବେଦନ କରିଛନ୍ତି । କଂଗ୍ରେସକୁ ପୁଣିଥରେ କେମିତି ମଜବୁତ କରାଯିବ ଏବଂ ଲୋକଙ୍କୁ କଂଗ୍ରେସର ବିଚାରଧାରା ବିଷୟରେ ସଚେତନ କରାଯିବ ସେନେଇ ରାହୁଲ ଗୁରୁତ୍ୱ ଦେଇଛନ୍ତି ।

ରାହୁଲ ଗାନ୍ଧୀ ସହର ଏବଂ ଜିଲ୍ଲା ସଭାପତିମାନଙ୍କୁ ମଧ୍ୟ ହୋମଓ୍ୱାର୍କ ଦେଇଛନ୍ତି । ଆଉ କହିଛନ୍ତି, ମୁଁ ସେପ୍ଟେମ୍ବର ୧୮ ତାରିଖରେ ପୁଣି ଆସିବି, ତା’ ପରେ ଆମେ ଏହା ଉପରେ ଆଲୋଚନା କରିବୁ । ଏହାସହିତ ରାହୁଲ ଗାନ୍ଧୀ ପରାମର୍ଶ ଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ସହର ଏବଂ ଜିଲ୍ଲା କଂଗ୍ରେସ ସଭାପତିମାନେ ସଂଗଠନ ସମ୍ପର୍କିତ ପାଞ୍ଚଟି ପ୍ରଶ୍ନର ଉତ୍ତର ଖୋଜିବା ଉଚିତ ।

ସୂଚନାଯୋଗ୍ୟ ଯେ, ବିହାର ପରେ ଏବେ ଲଗାତାର ରାହୁଲ ଗାନ୍ଧୀ ଗୁଜରାଟ ଯାତ୍ରା କରିବାକୁ ଯାଉଛନ୍ତି। ରାହୁଲ ଗାନ୍ଧୀଙ୍କ ଗୁଜରାଟ ଗସ୍ତର ରୋଡ ମ୍ୟାପ୍ ଆସନ୍ତା ମାସ ସୁଦ୍ଧା ଚୂଡ଼ାନ୍ତ ହେବ । ତେବେ ରାହୁଲ ଗାନ୍ଧୀ କଂଗ୍ରେସ ନେତାମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଗସ୍ତ ସମୟରେ ସେ ଜିଲ୍ଲା ସଭାପତିମାନଙ୍କ ଘରେ ଭୋଜନ କରିବେ ।