କନକ ବ୍ୟୁରୋ : ଆରଏସଏସର ବରିଷ୍ଠ ନେତା ଦତ୍ରାତେୟ ହୋସବାଲେ ସମ୍ବିଧାନରୁ ଧର୍ମନିରପେକ୍ଷତା ଓ ସମାଜବାଦ ଶବ୍ଦ ହଟାଇବାକୁ ନେଇ ବୟାନ ଦେବା ପରେ ସାରା ଦେଶରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଲୋକସଭାରେ ବିରୋଧୀଦଳ ନେତା ଏହି ବୟାନକୁ ନେଇ ଆରଏସଏସ୍ ଓ ବିଜେପିକୁ କଟାକ୍ଷ କରିଛନ୍ତି ।
ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ଏବେ ଆରଏସଏସର ମୁଖା ଖୋଲିଯାଇଛି । ସେମାନଙ୍କୁ ସମ୍ବିଧାନ ପସନ୍ଦ ନୁହେଁ କାରଣ ସମ୍ବିଧାନରେ ସମାନତା, ଧର୍ମନିରପେକ୍ଷତା ଓ ନ୍ୟାୟର କଥା କୁହାଯାଇଛି । ବିଜେପି ଓ ଆରଏସଏ୍ ସମ୍ବିଧାନ ନୁହେଁ ବରଂ ମନୁସ୍ମୃତି ଚାହାନ୍ତି । ମନୁସ୍ମୃତି ପ୍ରଚଳନ କରି ବିଜେପି ଓ ଆରଏସଏସ୍ ବହୁଜନ ଓ ଗରିବଙ୍କ ନ୍ୟାୟ ଓ ଅଧିକାର ଛଡାଇ ନେଇ ସେମାନଙ୍କୁ ଗୋଲାମ କରିବାକୁ ଚାହାନ୍ତି ବୋଲି ରାହୁଲ ଗାନ୍ଧୀ ଲେଖିଛନ୍ତି ।
କେବଳ ସେ କଟାକ୍ଷ କରିନାହାଁନ୍ତି ଏହାସହ ଆରଏସଏସକୁ ଚେତାବନୀ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି କି, ଆରଏସଏସ ଓ ତାର ଛାମୁଆ ସଂଗଠନ ବିଜେପି ସ୍ୱପ୍ନ ଦେଖିବା ବନ୍ଦ କରୁ । ସମ୍ବିଧାନ ଭଳି ଏକ ମଜବୁତ ଅସ୍ତ୍ର, ଯାହା ଦେଶର ନାଗରିକଙ୍କୁ ସମାନତା, ଧର୍ମନିରପେକ୍ଷତା ଓ ଅଧିକାର ଦେଇଛି, ତାହାକୁ ଛଡାଇନେବାକୁ ସଂଘ ଯେଉଁ ଅପଚେଷ୍ଟା କରୁଛି ତାହା କେବେ ବି ହେବାକୁ ଦିଆଯିବ ନାହିଁ । ଦେଶର ପ୍ରତିଟି ଦେଶଭକ୍ତ ନାଗରିକ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସମ୍ବିଧାନର ରକ୍ଷା କରିବାକୁ ଚେଷ୍ଟା କରିବ ।
ଆରଏସଏସ ନେତା ଦତ୍ରାତେୟ ହୋସବାଲେ ଜୁନ ୨୭ ତାରିଖରେ କହିଥିଲେ କି ଜରୁରୀକାଳୀନ ପରିସ୍ଥିତିରେ ସମ୍ବିଧାନରେ ସମାଜବାଦ ଓ ଧର୍ମନିରପେକ୍ଷତା ଶବ୍ଦକୁ ସାମିଲ କରାଯାଇଥିଲା । ବାବା ସାହେବ ଆମ୍ବେଦକର ଲେଖିଥିବା ସମ୍ବିଧାନରେ ସମାଜବାଦ ଓ ଧର୍ମନିରପେକ୍ଷତା ଶବ୍ଦ ନଥିଲା ।
ଆରଏସଏସ ନେତାଙ୍କ ଏଭଳି ବୟାନକୁ କଂଗ୍ରେସ ମଧ୍ୟ ଦୃଢ ନିନ୍ଦା କରିଛି । କଂଗ୍ରେସ କହିଛି କି, ସଂଘ ପରିବାର ଏବେ ବାବା ସାହେବଙ୍କ ସମ୍ବିଧାନକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି । ଏହା ଆଜିର ନୁହେଁ ସଂଘ ତାର ପ୍ରତିଷ୍ଠା ଦିବସରୁ ସମ୍ବିଧାନକୁ ଘୃଣା କରିଆସୁଛି । ଅନେକ ସମୟରେ ସଂଘ ଦ୍ୱାରା ସମ୍ବିଧାନ ଦହନ ଦିବସ ପାଳନ କରାଯାଇଛି ।