କନକ ବ୍ୟୁରୋ : ଅପରେସନ ସିନ୍ଦୂରକୁ ନେଇ ବିରୋଧୀଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ ଏବେ ସରକାରଙ୍କୁ କାଠଗଡାରେ ଠିଆ କରାଇଛି । ରାହୁଲଙ୍କ ପ୍ରଥମ ପ୍ରଶ୍ନ ଥିଲା ଅପରେସନ ସିନ୍ଦୂର ବେଳେ ଭାରତୀୟ ବାୟୁସେନାର କେତୋଟି ଯୁଦ୍ଧ ଜାହାଜ ନଷ୍ଟ ହୋଇଛି । ଏହାସହ ସେ ବିଦେଶମନ୍ତ୍ରୀଙ୍କ ବୟାନକୁ ଆଧାର କରି ପଚାରିଛନ୍ତି ଆକ୍ରମଣ ପୂର୍ବରୁ କାହିଁକି ପାକିସ୍ତାନକୁ ଆଗୁଆ ସୂଚନା ଦିଆଯାଇଥିଲା । ଏହାଫଳରେ ଆମ ବାୟୁସେନାର କେତୋଟି ଯୁଦ୍ଧ ବିମାନ ନଷ୍ଟ ହୋଇଛି ? 

Advertisment

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ରାହୁଲ ପଚାରିଛନ୍ତି କି, ଆମେ ଆକ୍ରମଣ କରିବା ପୂର୍ବରୁ ପାକିସ୍ତାନକୁ ପୂର୍ବ ସୂଚନା ଦେବା ଏକ ଅପରାଧ ଥିଲା । ବିଦେଶମନ୍ତ୍ରୀ ସାର୍ବଜନିକ ଭାବେ ଏକଥା ସ୍ୱୀକାର କରିଛନ୍ତି କି ଭାରତ ସରକାର ଏଭଳି କରିଛନ୍ତି । ଏଭଳି ସୂଚନା ଦେବା ପାଇଁ କିଏ ଅନୁମତି ଦେଇଥିଲା ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । 

ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଯେଉଁ ଭିଡିଓ ସେୟାର କରି ସରକାରଙ୍କୁ ଘେରିଛନ୍ତି  ସେହି ଭିଡିଓରେ ବିଦେଶମନ୍ତ୍ରୀ ଏସ୍ ଜୟଶଂକର କହୁଛନ୍ତି କି, ଆକ୍ରମଣ ପୂର୍ବରୁ ଆମେ ପାକିସ୍ତାନକୁ ସୂଚନା ଦେଇଥିଲୁ । ଏଥିରେ କୁହାଯାଇଥିଲା କି, ଆମେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଉପରେ ଆକ୍ରମଣ କରିବାକୁ ଯାଉଛୁ, ଆମେ ସେନା ଉପରେ ଆକ୍ରମଣ କରିବୁ ନାହିଁ । ତେଣୁ ପାକିସ୍ତାନ ସେନା ଏହି ଆକ୍ରମଣକୁ ପ୍ରତିହତ କରିବାକୁ ଭାଗ ନନେଉ, ହେଲେ ପାକିସ୍ତାନ ଏହି ପରାମର୍ଶକୁ ଗ୍ରହଣ କରିନଥିଲା ।