କନକ ବ୍ୟୁରୋ: ଓଡ଼ିଶାରେ ବିଜେପି ସରକାର ଆସିବା ପରଠୁ, ଏବେ ରାହୁଲ ଗାନ୍ଧୀଙ୍କ ନଜର ଓଡ଼ିଶା ଉପରେ । ପୂର୍ବ ଭାରତର ଦୁଆର କୁହାଯାଉଥିବା ଓଡ଼ିଶାରେ କଂଗ୍ରେସ କେମିତି ନିଜ ହାତ ଉଠେଇବ, ଆଉ ନିଜ ସଙ୍ଗଠନକୁ ମଜଭୁତ କରିବ, ସେନେଇ ଅଙ୍କ କଷିବା ଆରମ୍ଭ କରିଛନ୍ତି କଂଗ୍ରେସ ଯୁବରାଜ । ଏଥିପାଇଁ ଦିଲ୍ଲୀରେ ଘନ ଘନ ବୈଠକ ବସିବା ସହ, ଓଡ଼ିଶା ନେତାଙ୍କୁ ଦିଆଯାଉଛି ଗୁରୁମନ୍ତ୍ର ।

Advertisment

ଓଡ଼ିଶାରେ କଂଗ୍ରେସର ସଙ୍ଗଠନକୁ ଟାଣ କରିବାକୁ ଜିଲ୍ଲା ସଭାପତି ଚୟନ ଉପରେ ଫୋକସ୍ କରିଛନ୍ତି କଂଗ୍ରେସ ମୁଖିଆ । ପ୍ରତି ଜିଲ୍ଲାରେ ହାତ କେମିତି ଟାଣ ହେବ, ସେନେଇ ଖାସ୍ କରି ନଜର ରଖାଯାଇଛି । ଏଥିପାଇଁ ପ୍ରଥମେ ସେପ୍ଟେମ୍ବର ୧ରେ ଓଡ଼ିଶା ଆସିବେ ଏଆଇସିସି ପର୍ଯ୍ୟବେକ୍ଷକ । ଏନେଇ ଦିଲ୍ଲୀରେ ବସିଥିବା ବୈଠକରେ ହି ନିଷ୍ପତ୍ତି ନିଆଯାଇଛି । ଏହି ଟିମ୍ ଓଡ଼ିଶା ଆସିବା ସହିତ ବିଭିନ୍ନ ଜିଲ୍ଲାକୁ ଯାଇ ସଙ୍ଗଠନର ସ୍ଥିତି ଦେଖିବ, ଆଉ ଦୁଇ ସପ୍ତାହ ଭିତରେ ସମ୍ଭାବ୍ୟ ଜିଲ୍ଲା ସଭାପତି ନେଇ ରିପୋର୍ଟ ମଧ୍ୟ ଦେବ ।

ପ୍ରତି ଜିଲ୍ଲାରୁ ଜିଲ୍ଲା ସଭାପତି ବାଛିବାକୁ ୬ଟି ନାମ ଦେବାକୁ ଏହି ପର୍ଯ୍ୟବେକ୍ଷକ ଟିମକୁ ଦାୟିତ୍ୱ ଦିଆଯାଇଛି । ଏହାସହ ପ୍ରତି ବ୍ଲକକୁ ଯାଇ ପିସିସି ସଭାପତି ଭକ୍ତ ଦାସ ମଧ୍ୟ ରିପୋର୍ଟ ତିଆରି କରିବେ । ଏହାପରେ ଯାଇ କଂଗ୍ରେସ ନିଜର ଫାଇନାଲ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିବ ବୋଲି ଜଣାପଡ଼ିଛି ।

ଓଡ଼ିଶାରେ ଯେବେଠୁ ୨୦ ଏମପି ଜିତି ଦିଲ୍ଲୀ ଯାଇଛନ୍ତି, ସେବେଠୁ ଓଡ଼ିଶାର ନୂଆ ସମ୍ଭାବନାର ସ୍ୱପ୍ନ ଦେଖୁଛି କଂଗ୍ରେସ । ଖାସ୍ କରି ବିଜେଡିକୁ ଯଦି ବିଜେପି ହରାଇ ୨୦ ଏମପି ଦିଲ୍ଲୀ ଯାଇପାରିଲେ, ତେବେ ସେହି ଗଣିତରେ କଂଗ୍ରେସ ମଧ୍ୟ ବିଜେପିକୁ ମାତ୍ ଦେବାକୁ ଅଙ୍କ କଷୁଛି । ଆଉ ଏଥିପାଇଁ ଜିଲ୍ଲା ସ୍ତରରୁ ହିଁ ଆରମ୍ଭ ହେଇଛି କସରତ । ଓଡ଼ିଶା କଂଗ୍ରେସର ହାତ ଉଠିବାକୁ ହେଲେ, ଜିଲ୍ଲା ସ୍ତରରୁ ହିଁ ସଙ୍ଗଠନକୁ ମଜଭୁତ କରିବାକୁ ପଡ଼ିବ ବୋଲି ଦିଲ୍ଲୀ ନେତା ଜାଣିସାରିଲେଣି, ଆଉ ଏଥିପାଇଁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଘର ସଜାଡ଼ିବା ଆରମ୍ଭ କରିଛି ଓଡ଼ିଶା କଂଗ୍ରେସ ।