କନକବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ଏବଂ ନିର୍ବାଚନ କମିଶନ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ସେହି ଆଇନଗୁଡ଼ିକୁ ରଦ୍ଦ କରିବା ସହ ପୂର୍ବବର୍ତ୍ତୀ ଭାବରେ ପରିବର୍ତ୍ତନ କରିବେ ।
ନିର୍ବାଚନ ଆୟୁକ୍ତ ମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଣୟନ କରାଯାଇଥିଲା ସେହି ଆଇନକୁ ପୁନଃ ଲାଗୁ କରିବେ । ଦିଲ୍ଲୀର ରାମଲୀଳା ମୈଦାନରେ ପାର୍ଟିର ‘ଭୋଟ୍ ଚୋର ଗାଦି ଛାଡ଼’ ରାଲିକୁ ସମ୍ବୋଧିତ କରି ଗାନ୍ଧୀ କହିଛନ୍ତି, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ନିର୍ବାଚନ ଆୟୁକ୍ତ ବିବେକ ଯୋଶୀ ଓ ଏସ୍ଏସ୍ ସନ୍ଧୁଙ୍କ ନାମ ମନେ ରଖନ୍ତୁ । ଆମେ ଆପଣଙ୍କୁ ସୁରକ୍ଷା ଦେବା ପାଇଁ ଆଣିଥିବା ଆଇନକୁ ପରିବର୍ତ୍ତନ କରିବୁ । ବିଜେପିର ଡିଏନଏରେ ‘ଭୋଟ୍ ଚୋରି’ ଥିବା ଅଭିଯୋଗ କରିଛନ୍ତି ଲୋକସଭାରେ ବିପକ୍ଷ ନେତା ।
ରାହୁଲ କହିଛନ୍ତି କଂଗ୍ରେସ ସତ୍ୟ ସହିତ ଠିଆ ହୋଇଛି । ହରିୟାଣା ସହିତ ‘ଚୋରି’ ହୋଇଥିବା ନିର୍ବାଚନଗୁଡ଼ିକ ଉପରେ କଂଗ୍ରେସ ଉଠାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେବାରେ ନିର୍ବାଚନ କମିଶନ ବିଫଳ ହୋଇଛି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ ବିହାର ନିର୍ବାଚନ ସମୟରେ ବିଜେପି ୧୦,୦୦୦ ଟଙ୍କା ଟ୍ରାନ୍ସଫର କରିଥିଲା, କିନ୍ତୁ ନିର୍ବାଚନ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ।
ପ୍ରିୟଙ୍କା ଗାନ୍ଧୀ ବିଜେପିକୁ ବ୍ୟାଲଟ୍ ପେପର୍ରେ ନିର୍ବାଚନ ଲଢ଼ିବାକୁ ଚ୍ୟାଲେଞ୍ଜ୍ କରି କହିଛନ୍ତି ଯେ ଏଭଳି ହେଲେ ସେମାନେ ହାରିଯିବେ । ଖଡ଼ଗେ ବିଜେପି ନେତାମାନଙ୍କୁ ‘ଗଦ୍ଦାର’ ଓ ‘ଡ୍ରାମାବାଜ’ ବୋଲି କହି ସମ୍ବିଧାନ ବଞ୍ଚାଇବା ପାଇଁ ଏନ୍ଡିଏ ସରକାରକୁ ହଟାଇବାକୁ ଆହ୍ୱାନ ଦେଇଛନ୍ତି । ଅନ୍ୟପକ୍ଷରେ ବିଜେପି ଏହି ରାଲିକୁ ଭୋଟର ତାଲିକାରେ ସଂଶୋଧନକୁ ରୋକିବା ପାଇଁ ଏକ ଷଡ୍ଯନ୍ତ୍ର ବୋଲି କହିବା ସହ କଂଗ୍ରେସ ଦଳ ‘ଅନୁପ୍ରବେଶକାରୀ’ମାନଙ୍କୁ ସୁରକ୍ଷା ଦେବାକୁ ଅହରହ ପ୍ରୟାସ କରୁଥିବା କହିଛି । ତୁଷ୍ଟୀକରଣ ରାଜନୀତି ଓ ଅନୁପ୍ରବେଶକାରୀଙ୍କ ଭୋଟ୍ ଉପରେ ବିଶେଷ ନିର୍ଭରଶୀଳ ଥିବା କଂଗ୍ରେସ କେବଳ ହତାଶାରେ ନିର୍ବାଚନ କମିସନଙ୍କୁ ଟାର୍ଗେଟ୍ କରୁଛି ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/15/rahul-2025-12-15-08-30-43.jpg)