କନକ ବ୍ୟୁରୋ : ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ଉତ୍ତରାଖଣ୍ଡର ବିଜେପିର ସରକାର । ଉତ୍ତରାଖଣ୍ଡରେ ଉତ୍ତରାଖଣ୍ଡ ଅଧିନସ୍ଥା ସେବା ଚୟନ ଆୟୋଗ ପରୀକ୍ଷାରେ ପେପର ଲିକକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ଓ ଧାମୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ କରି ବିଜେପି ସରକାର କେବଳ ଭୋଟ ଚୋର ନୁହେଁ ବରଂ ପେପର ଚୋର ବୋଲି ଲେଖିଛନ୍ତି । ସେ କହିଛନ୍ତି କେନ୍ଦ୍ର ଓ ବିଜେପି ଶାସିତ ରାଜ୍ୟଗୁଡିକରେ ଶାସନ ମୁଖ୍ୟମାନେ ଦେଶ ଓ ରାଜ୍ୟର ଯୁବକ ଯୁବତୀଙ୍କ ବେରୋଜଗାର ସମସ୍ୟା ପ୍ରତି ଆଖି ବୁଜି ଦେଇଛନ୍ତି । ସେମାନେ କେବଳ କ୍ଷମତା ପାଇଁ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । 
ଉତ୍ତରାଖଣ୍ଡ ଉତ୍ତରାଖଣ୍ଡ ଅଧିନସ୍ଥା ସେବା ଚୟନ ଆୟୋଗ ପରୀକ୍ଷାରେ ପେପର ଲିକକୁ ନେଇ ହଜାର ହଜାର ପରୀକ୍ଷାର୍ଥୀ ରାସ୍ତାରେ ଆନ୍ଦୋଳନ ଚଳାଇଛନ୍ତି । ଏହି ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ନେଉଛି । ହେଲେ ଉତ୍ତରାଖଣ୍ଡ ସରକାର ଏନେଇ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି । ଏହାକୁ ନେଇ ବିରୋଧୀଦଳମାନେ ଉତ୍ତରାଖଣ୍ଡ ସରକାରଙ୍କୁ କଡ଼ା ସମାଲୋଚନା କରିବାରେ ଲାଗିଛନ୍ତି । 

Advertisment

ରାହୁଲ ଗାନ୍ଧୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କରିଥିବା ପୋଷ୍ଟରେ ଲେଖିଛନ୍ତି କି, ବିଜେପିର ଦ୍ୱିତୀୟ ନାମ ପେପର ଚୋର । ସାରା ଦେଶରେ ବାରମ୍ବାର ପେପର ଲିକ୍ ହେଉଥିବାରୁ  କୋଟି କୋଟି ଚାକିରି ଆଶାୟୀଙ୍କ ଜୀବନ ଓ ସ୍ୱପ୍ନ ବରବାଦ ହେବାରେ ଲାଗିଛି । ଯୁବକ ଯୁବତୀମାନେ ଦିନ ରାତି ପରିଶ୍ରମ କରିୁଥିବା ବେଳେ ବିଜେପି ସେମାନଙ୍କ ଶ୍ରମକୁ ଚୋରି କରି ସେମାନଙ୍କ ସ୍ୱପ୍ନ ଉପରେ ପାଣି ପକାଇ ଦେଉଛି ।

ରାହୁଲ ଗାନ୍ଧୀ ଲେଖିଛନ୍ତି ଆଜିର ଦିନରେ ଭାରତରେ ବେରୋଜଗାରୀ ସବୁଠାରୁ ବଡ଼ ସମସ୍ୟା । ଯାହା ସିଧା ସଳଖ ଭୋଟ ଚୋରି ସହ ଜଡ଼ିତ । ପେପର ଚୋର ଜାଣିଛନ୍ତି କି, ଯଦି ବି ଯୁବକ ଯୁବତୀଙ୍କୁ କାମ ବା ଚାକରି ନମିଳିବ ତଥାପି ସେମାନେ ଭୋଟ ଚୋରି କରି କ୍ଷମତା ଦଖଲ କରିପାରିବେ । ଯୁବକ ଯୁବତୀ ଆଜି ରାସ୍ତା ଉପରକୁ ଆସି ପେପର ଚୋର, ଗଦି ଛାଡ଼ର ନାରା ଦେଉଛନ୍ତି । ଏହା ଭବିଷ୍ୟତରେ ଉତ୍ତରାଖଣ୍ଡ ସରକାରଙ୍କ ପାଇଁ କାଳ ହେବାକୁ ଯାଉଛି ।