କନକ ବ୍ୟୁରୋ: ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ସାସଂଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଜାତୀୟ ଓ ଆଞ୍ଚଳିକ ଖବରକାଗଜଗୁଡିକରେ ବିରୋଧୀ ଦଳ ନେତାଙ୍କ ସ୍ତମ୍ଭକୁ ନେଇ ଦେଶର ରାଜନୀତି ସରଗରମ ହୋଇଛି । ଏହି ସ୍ତମ୍ଭରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମ୍ୟାଚ ଫିକ୍ସିଂ ହୋଇଥିଲା ବୋଲି ସିଧା ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ ଆସନ ମଧ୍ୟରୁ ବିଜେପି, ଶିବସେନା ଓ ଏନ୍‌ସିପିର ମହାୟୁତି ମେଣ୍ଟକୁ ମିଳିଥିଲା ୨୩୫ ଆସନ । କେବଳ ବିଜେପିକୁ ୧୩୨ ଆସନ ମିଳିଥିଲା । ଏହି ଫଳାଫଳକୁ ନେଇ  ବିରୋଧୀ ପ୍ରଶ୍ନ ଉଠାଇଥିଲେ । 

Advertisment

ରାହୁଲ ଅଭିଯୋଗ କରିଛନ୍ତି ଯେ, ମହାରାଷ୍ଟ୍ରରେ ଓଲଟପାଲଟ ପାଇଁ ଏନଡିଏର ୫ ପ୍ରକାର ମଡେଲ ଗ୍ରହଣ କରାଯାଇଥିଲା । ନିର୍ବାଚନ କମିସନଙ୍କ ନିଯୁକ୍ତି ପାଇଁ ପ୍ୟାନେଲରେ ରିଗିଙ୍ଗ୍ ହୋଇଥିଲା । ଭୋଟର ତାଲିକାରେ ଜାଲ ଭୋଟରଙ୍କୁ ସ୍ଥାନ ଦିଆଯାଇଥିଲା । ଭୋଟଗ୍ରହଣ ପ୍ରତିଶତକୁ ଅଧିକ ଦର୍ଶାଯାଇଥିଲା । ବିଜେପି କମ୍ ଭୋଟ ପାଉଥିବା ସ୍ଥାନଗୁଡିକରେ ଜାଲ୍ ଭୋଟରଙ୍କୁ ସ୍ଥାନିତ କରାଯାଇଥିଲା । ଏହା ସହିତ ପ୍ରମାଣଗୁଡିକୁ ଅଗୋଚରରେ ରଖାଯାଇଥିଲା 

 
ସେପଟେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଜବାବ ଦେଇଛି ନିର୍ବାଚନ କମିସନ । କମିସନ କହିଛନ୍ତି,
ଭୋଟର ଲିଷ୍ଟକୁ ନେଇ ରାହୁଲଙ୍କ ଅଭିଯୋଗ ଭିତ୍ତିହୀନ ।  ଏଭଳି ଅଭିଯୋଗ ନିୟମ ଓ ବ୍ୟବସ୍ଥା ଉପରେ ଅପମାନ । କମିସନ ଉପରେ ଆଧାରହୀନ ଅଭିଯୋଗ କରିବା ଅସଙ୍ଗତ ଓ ଗମ୍ଭୀର ବିଷୟ । ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ଠିକ୍ ଓ ସ୍ବଚ୍ଛ । ରାହୁଲଙ୍କ ମନ୍ତବ୍ୟ ଲକ୍ଷ ଲକ୍ଷ ନିର୍ବାଚନ କର୍ମଚାରୀଙ୍କୁ ହତୋତ୍ସାହିତ କରୁଛି । ଭୋଟରଙ୍କ ନିଷ୍ପତ୍ତି ପରେ ଏଭଳି ଅଭିଯୋଗ ଠିକ ନୁହେଁ । ନିର୍ବାଚନ ସମ୍ପର୍କିତ ସମସ୍ତ ତଥ୍ୟ ୱେବସାଇଟରେ ଉପଲବ୍ଧ ଅଛି । ଏହି ତଥ୍ୟକୁ ଅଣଦେଖା କରାଯାଉଛି ।
 
ରାହୁଲଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା । ରାହୁଲଙ୍କ ଲେଖା ମିଛର ପ୍ରସାର ପାଇଁ ବ୍ଲୁପ୍ରିଣ୍ଟ । ବାରମ୍ୱାର ପରାଜୟରେ ହତାଶ ହୋଇପଡିଛନ୍ତି ରାହୁଲ ଗାନ୍ଧୀ । ଆତ୍ମମନ୍ଥନ ବଦଳରେ ରାହୁଲ ମିଛ ଅଭିଯୋଗ କରୁଛନ୍ତି । ତଥ୍ୟ ଓ ପରିସଂଖ୍ୟନକୁ ଦେଖୁନାହାନ୍ତି ରାହୁଲ ଗାନ୍ଧୀ । ବିହାରରେ ବି କଂଗ୍ରେସର ପରାଜୟ ହେବ । ଲୋକତନ୍ତ୍ରରେ ଡ୍ରାମା ନୁହେଁ, ସତର ସାମ୍ନା କରିବା ଉଚିତ ।