କନକ ବ୍ୟୁରୋ: ୨୦୨୪ ଟି୨୦ ବିଶ୍ୱକପ ପରେ ଭାରତୀୟ ଦଳର ମୁଖ୍ୟ କୋଚ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଏହାପରେ ସେ ଆଇପିଏଲ ୨୦୨୫ ସିଜିନରେ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ ଦାୟିତ୍ୱ ନେଇଥିଲେ । ତେବେ ତାଙ୍କର ଏହି ଯାତ୍ରା କେବଳ ଗୋଟିଏ ସିଜିନ ପର୍ଯ୍ୟନ୍ତ ସୀମିତ ରହିଲା । ଗତ ଆଇପିଏଲ୍ ସିଜିନ୍ରେ ରାଜସ୍ଥାନ ରୟାଲ୍ସର ନିରାଶାଜନକ ପ୍ରଦର୍ଶନ ଦଳ ପଏଣ୍ଟ ଟେବୁଲରେ ନବମ ସ୍ଥାନରେ ରହିଥିଲା । ଯାହା ପରଠାରୁ ଦଳରେ କିଛି ଠିକ୍ଠାକ୍ ଚାଲିନଥିବା ଚର୍ଚ୍ଚା ହେଉଥିଲା । ଏହାରି ମଧ୍ୟରେ ଅଗଷ୍ଟ ୩୦ରେ ରାଜସ୍ଥାନ ରୟାଲ୍ସ ଘୋଷଣା କରିଥିଲା ଯେ ରାହୁଲ ଦ୍ରାବିଡ ମୁଖ୍ୟ କୋଚ ପଦରୁ ଓହରିଯାଇଛନ୍ତି । ଦ୍ରାବିଡଙ୍କ ଚମକାଇ ଦେବା ଭଳି ନିଷ୍ପତ୍ତି ପଛରେ ଅନେକ କାରଣ ଥିବା କୁହାଯାଉଛି । ରିପୋର୍ଟ ମୁତାବକ ଦଳର ଅଧିନାୟକ ସଞ୍ଜୁ ସାମସନ ଏବଂ ଯୁବ ବ୍ୟାଟର ରିୟାନ ପରାଗଙ୍କ କିଛି ନିଷ୍ପତ୍ତିକୁ ନେଇ ଦ୍ରାବିଡ ଖୁସି ନଥିଲେ, ଯେଉଁଥିପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି ।
ସଞ୍ଜୁ ସାମସନ ଓ ରିୟାନ ପରାଗଙ୍କୁ ନେଇ ବିବାଦ
ଚର୍ଚ୍ଚା ହେଉଥିଲା ଯେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଟ୍ରେଡ୍ ଡିଲ କିମ୍ବା ନିଲାମୀ ମାଧ୍ୟମରେ ଦଳ ଛାଡିପାରନ୍ତି । ସାମସନ ଆଇପିଏଲ ୨୦୨୫ରେ ଆହତ ଥିଲେ, ଯାହା ପରେ ରିୟାନ ପରାଗଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । କୁହାଯାଉଛି ଯେ ପରାଗଙ୍କୁ ଅଧିନାୟକ ଦାୟିତ୍ୱ ଦେବା ନିଷ୍ପତ୍ତିରେ ଦ୍ରାବିଡ ସହମତ ନଥିଲେ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ସାମସନଙ୍କ ଦଳ ଛାଡ଼ିବାର ଖବର ଦ୍ରାବିଡଙ୍କୁ ଚିନ୍ତିତ କରିଥିଲା ଏବଂ ଏହା ତାଙ୍କ ପଦ ଛାଡ଼ିବାର ଏକ ବଡ କାରଣ । ତେବେ, ସାମସନ ଯେହେତୁ ଦଳ ଛାଡିବାକୁ ଯାଉଛନ୍ତି, ତେଣୁ ଦ୍ରାବିଡଙ୍କ ଯିବାର ତାଙ୍କ ଉପରେ କୌଣସି ବିଶେଷ ପ୍ରଭାବ ପଡିବ ନାହିଁ କ୍ରିକେଟ ସମୀକ୍ଷକ ମତ ରଖିଛନ୍ତି । ତେବେ ଦଳ ଛାଡ଼ିବା ବା ନଛାଡ଼ିବା ନେଇ ଏଯାଏ ସାମସନ କୌଣସି ବୟାନ ଦେଇ ନାହାନ୍ତି ।
ରାଜସ୍ଥାନ ରୟାଲ୍ସ ଦେଇଥିଲା ଅଫର
ରାଜସ୍ଥାନ ରୟାଲ୍ସ ନିଜର ଅଫିସିଆଲ ବୟାନରେ କହିଛି ଯେ ରାହୁଲ ଦ୍ରାବିଡଙ୍କୁ ଫ୍ରାଞ୍ଚାଇଜିରେ ଏକ ବଡ଼ ଭୂମିକା ପ୍ରଦାନ କରାଯାଇଥିଲା । ଯାହାକୁ ସେ ଅସ୍ୱୀକାର କରିଥିଲେ । କାରଣ ଏହାଦ୍ୱାରା ତାଙ୍କୁ ଦଳ ଚୟନ ପକ୍ରିୟାରୁ ଦୂରେଇ ରହିବାକୁ ପଡ଼ିଥାଆନ୍ତା । ଏହାକୁ ନେଇ ରାଜସ୍ଥାନ ରୟାଲ୍ସର ଜଣେ ସଦସ୍ୟ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଯେତେବେଳେ କୌଣସି ମୁଖ୍ୟ କୋଚଙ୍କୁ ଏକ 'ବଡ ଭୂମିକା' ପ୍ରଦାନ କରାଯାଏ, ତେବେ ଏହା ଏକ ପ୍ରକାର ଦଣ୍ଡ ଭାବରେ ମିଳିଥିବା ପଦୋନ୍ନତି ହୋଇଥାଏ । ଏହାର ଅର୍ଥ ହେଉଛି ଦଳ ଗଠନର ପ୍ରକୃତ ପ୍ରକ୍ରିୟାରେ ଆପଣଙ୍କର କୌଣସି ଭୂମିକା ରହିବ ନାହିଁ । ଏଣୁ ବାଧ୍ୟ ହୋଇ ରାହୁଲ ଦ୍ରାବିଡ ରଜାସ୍ଥାନ ରୟାଲ୍ସ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଏହାକୁ ନେଇ ରାହୁଲ ଦ୍ରାବିଡ କୌଣସି ବୟାନ ଦେଇନାହାନ୍ତି ।