କନକ ବ୍ୟୁରୋ: ରାଗିଂ ଭଳି କଳଙ୍କିତ ଘଟଣାକୁ ନେଇ ସୁପ୍ରିମକୋର୍ଟ ବାରମ୍ବାର ଉଦବେଗ ପ୍ରକାଶ କରୁଥିବା ବେଳେ ଏଥିପାଇଁ କଡ଼ା ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ତଥାପି କମୁନି ଏହି ଘଟଣା । ଗତ ମାସରେ ରାଗିଂକୁ ନେଇ ହଇଚଇ ହୋଇଥିଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ । ଏବେ MKCG ମେଡିକାଲ କଲେଜରୁ ଆସିଛି ସମାନ ଅଭିଯୋଗ । ୟୁଜିସି ଆଣ୍ଟି ରାଗିଂ ସେଲରେ ଅଭିଭାବକଙ୍କ ଅଭିଯୋଗ ପରେ ଆରମ୍ଭ ହୋଇଛି ତଦନ୍ତ । 

Advertisment

MKCG ମେଡିକାଲ କଲେଜର କିଛି ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ । ରୁମ୍ ଭିତରେ ଭର୍ତ୍ତି କରି ଲାଇଟ୍ ବନ୍ଦ କରିଦେବା ସହିତ ଉଲଗ୍ନ କରି ମାରପିଟ୍ କରିବା, ଗୀତ ଗାଇବା ଓ ନାଚିବା ପାଇଁ ବାଧ୍ୟ କରିବା ଏବଂ ନମାନିଲେ ଶାରୀରିକ ଓ ମାନସିକ ନିର୍ୟାତନା । ଏହି ଘଟଣା ଯେତିକି ସଙ୍ଗୀନ ସେତିକି ସମ୍ବେଦନଶୀଳ । 

ଅକ୍ଟୋବର ୨୧ ତାରିଖ ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲେ ମଧ୍ୟ ଏବେ ପଦାକୁ ଆସିଛି । ୩ ଜଣ ଛାତ୍ରଙ୍କ ଅଭିଭାବକ, ୟୁଜିସି ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଛନ୍ତି । ଏହାପରେ ତଦନ୍ତ କରି ଆକ୍ସନ୍ ନେବାକୁ ଆଣ୍ଟି ରାଗିଂ ସେଲ୍ ଚିଠି କରିବା ପରେ ସାମ୍ନାକୁ ଆସିଛି ଘଟଣା । ଆଜି ମେଡିକାଲ ଆଣ୍ଟି ରାଗିଂ କମିଟିର ବୈଠକ ହୋଇଛି । ଯେଉଁଥିରେ ପୋଲିସ, ରାଗିଂର ଶିକାର ଦ୍ୱିତୀୟ ବର୍ଷ ଛାତ୍ର ଏବଂ ରାଗିଂ କରିଥିବା ସିନିୟର ଛାତ୍ରମାନେ ସାମିଲ ହୋଇଥିଲେ । MKCG ଡିନ୍ କହିଛନ୍ତି, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ପ୍ରଥମ ବର୍ଷର ଛାତ୍ରମାନେ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କ ହଷ୍ଟେଲ ପରିବର୍ତ୍ତନ 
କରାଯାଇଥିଲା । କ୍ୟାବିନ ବ୍ଲକରୁ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତିନୋଟି ହଷ୍ଟେଲକୁ ପଠାଯାଇଥିବା ବେଳେ ସିନିୟର ମାନେ ସେଠାର ରାଗିଂ କରିଛନ୍ତି । ଗତ ମାସରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ରାଗିଂକୁ ନେଇ ହଇଚଇ ହୋଇଥିଲା । 

୧୭ ଛାତ୍ରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ୪ ଜଣ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଅନ୍ୟ ୧୩ ଜଣଙ୍କୁ ୧ହଜାର ଟଙ୍କା ଜରିମାନା ସହ ବଣ୍ଡ ପେପରରେ ଅଣ୍ଡରଟେକିଂ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୁଳପତି । ରାଗିଂକୁ ରୋକିବା ପାଇଁ ସୁପ୍ରିମକୋର୍ଟ ବାରମ୍ବାର ଉଦବେଗ ପ୍ରକାଶ କରୁଛନ୍ତି । ଏଥିପାଇଁ କଡ଼ା ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ରାଗିଂ କମିବା ବଦଳରେ ବଢି ବଢି ଚାଲିଛି ।