କନକ ବ୍ୟୁରୋ : ଦିଲ୍ଲୀ ଗୁରଗ୍ରାମରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ୨୫ ବର୍ଷୀୟ ଝିଅ ରାଧିକା ଯାଦବ ଯିଏ କି ଜଣେ ରାଜ୍ୟ ସ୍ତରୀୟ ଟେନିସ୍ ଖେଳାଳୀ , ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ବାପା ଦୀପକ ଯାଦବ । ପୁଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି । ପ୍ରାଥମିକ ତଦନ୍ତ ପରେ ପୁଲିସ ପକ୍ଷରୁ ଯେଉଁ ସୂଚନା ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ପୁଲିସର କହିବା ଅନୁଯାୟୀ , ରାଧିକାଙ୍କ ବାପା ଦୀପକ କହିଛନ୍ତି ଯେ କିଛି ମାସ ହେବ ରାଧିକା ଏକ ଟେନିସ୍ ଏକାଡେମୀ ଖୋଲିଥିଲେ। ଏହା ପରେ ଲୋକମାନେ ମୋତେ ଟାହିଟାପରା କରିବା ଆରମ୍ଭ କରିଦେଲେ । ସମସ୍ତେ କହିଲେ କି ମୁଁ ମୋ ଝିଅର ରୋଜଗାର ଖାଉଛି । ସେଥିପାଇଁ ରାଧିକାକୁ ବାଧ୍ୟ କରୁଥିଲେ ଏକାଡେମୀ ବନ୍ଦ କରିବାକୁ କିନ୍ତୁ ଝିଅ ନ ମାନିବାରୁ ସେ କ୍ରୋଧିତ ହୋଇ ରାଧିକାଙ୍କୁ ଗୁଳି କରିଥିବା ମାନିଛନ୍ତି । କିନ୍ତୁ ଏହାକୁ ସାଧାରଣତଃରେ କେହି ଗ୍ରହଣ କରିପାରୁ ନାହାନ୍ତି ।
ଦୋଷ ସ୍ବୀକାର ପରେ ପୁଲିସ ଅଭିଯୁକ୍ତ ଦୀପକ ଯାଦବଙ୍କୁ ଗିରଫ କରିଛି । ତାଙ୍କର ଲାଇସେନ୍ସପ୍ରାପ୍ତ ରିଭଲଭର ମଧ୍ୟ ଜବତ କରାଯାଇଛି । ରାଧିକା ଯାଦବ ହରିୟାଣାର ଜଣେ ଉଦୀୟମାନ ଟେନିସ୍ ଖେଳାଳି ଥିଲେ । ସେ ରାଜ୍ୟ ସ୍ତରରେ ଅନେକ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ୨୩ ମାର୍ଚ୍ଚ ୨୦୦୦ରେ ଜନ୍ମଗ୍ରହଣ କରିଥିବା ରାଧିକା ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ (ଆଇଟିଏଫ)ରେ ଡବଲ୍ସ ଟେନିସ୍ ଖେଳାଳି ଭାବରେ ୧୧୩ ତମ ସ୍ଥାନରେ ଥିଲେ ।
ଗୁରୁବାର ସକାଳ ପ୍ରାୟ ୧୦.୩୦ ସମୟରେ ଗୁରୁଗ୍ରାମର ତାଙ୍କ ଘରେ ଘଟିଥିବା ଏହି ଘଟଣା ସମ୍ପର୍କରେ ରାଧିକାଙ୍କ ଦାଦା କୁଲଦୀପ ଯାଦବ ସେକ୍ଟର ୫୬ ପୁଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରିଥିଲେ ।