ରାବ୍ରିଙ୍କ ବଡ଼ ବୟାନ : ନୀତିଶଙ୍କ ବଦଳରେ ସିଏମ୍‌ ହୁଅନ୍ତୁ ନିଶାନ୍ତ

ରାବ୍ରି ଦେବୀଙ୍କ ବୟାନ ପରେ ଗୋଟିଏ କଥା ସ୍ପଷ୍ଟ ହେଉଛି କି, ନୀତିଶଙ୍କୁ ପରିବାରବାଦ ରାଜନୀତିରେ ଛନ୍ଦି ଫାଇଦା ନେବାକୁ ପ୍ଲାନ୍‌ କରୁଛି ଆରଜେଡି

Bihar Politics 1

Bihar Politics 1 Photograph: (kanak News)

କନକ ବ୍ୟୁରୋ: ନୀତିଶ କୁମାର ଓ ବିହାର ରାଜନୀତିକୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । ରାଷ୍ଟ୍ରୀୟ ସଙ୍ଗୀତ ବୋଲାଯାଉଥିବା ସମୟରେ ବିହାରର ମୁଖ୍ୟମନ୍ତ୍ରୀ ଛିଡ଼ା ତ ହୋଇନଥିଲେ ବରଂ ସଚିବଙ୍କ ସହ ଆଲୋଚନା କରୁଥିଲେ । ଯାହାକୁ ନେଇ ପୂରା ଭାରତରେ ଚର୍ଚ୍ଚା ବଢିଥିବା ବେଳେ ସୋସିଆଲ ମିଡିଆରେ ବି ଭିଡ଼ିଓ ଭାଇରାଲ ହୋଇଥିଲା । ଏହାପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲାଲୁଙ୍କ ପତ୍ନୀ ରାବ୍ରି ଦେବୀ କହିଛନ୍ତି, ନୀତିଶ କୁମାର ଅସୁସ୍ଥ ପରି ମନେ ହେଉଛନ୍ତି । ତେଣୁ ତାଙ୍କ ପୁଅ ନିଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଏବେ ଦିଅନ୍ତୁ । ହେଲେ ସେ ଏମିତି କାହିଁକି ବୟାନ ଦେଲେ । ବିହାର ରାଜନୀତିରେ କି ସମୀକରଣ ଚାଲିଛି ସେନେଇ ଜୋରଦାର ଚର୍ଚ୍ଚା ହେଉଛି । 

ନୀତିଶଙ୍କ ବଦଳରେ ନିଶାନ୍ତ ହେବେ କି ସିଏମ୍‌
ରାବ୍ରି ଦେବୀଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା
ନୀତିଶଙ୍କ ସାଥୀ ରଖିଲେ ବୟାନ
କହିଲେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ବିରେଧୀ

ନୀତିଶଙ୍କୁ ନେଇ ବିବାଦ ବଢିବା ପରେ ବିହାରର କ୍ୟାବିନେଟ୍‌ ମନ୍ତ୍ରୀ କହିଛନ୍ତି, ସେଦିନ ଯେଉଁ ଘଟଣା ହେଲା ତାହା ପ୍ରସଙ୍ଗ ନୁହେଁ । ଅଯଥା କଥାକୁ ନେଇ ବିରୋଧୀ ଇସ୍ୟୁ କରୁଥିବା କହିଛନ୍ତି । ଅଶୋକ ଚୌଧୁରୀ କହିଛନ୍ତି, ନୀତିଶଙ୍କ ପରି ଦେଶଭକ୍ତ ଆଉ କେହି ନାହାନ୍ତି । ବିହାର ଦିବସ ନୀତିଶ ହିଁ ଆରମ୍ଭ କରିଥିଲେ । ବିହାରର ଉନ୍ନତି ଲାଗି ନୀତିଶ ସରକାର ଯେଉଁ କାମ କରିଛନ୍ତି ତାହା ଅନ୍ୟ କୌଣସି ସରକାର ସମୟରେ ହୋଇନାହିଁ । ଆମ ନେତା ପରିବାରବାଦ ରାଜନୀତି ସପକ୍ଷରେ ନାହାନ୍ତି । ତେଣୁ ପୁଅ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାହା ଜନତା ନିର୍ଦ୍ଧାରଣ କରିବେ ବୋଲି ସେ କହିଛନ୍ତି ।

ରାବ୍ରି ଚାହାଁନ୍ତି କି ପରିବାର ରାଜନୀତି
ଏମିତି କଲେ ନୀତିଶଙ୍କ ଉପରେ ନାରାଜ ହେବ ଏନଡିଏ
ଫାଇଦା ଉଠାଇବ ଆରଜେଡି

ଆପଣମାନେ ସମସ୍ତେ ଜାଣନ୍ତି ପରିବାରବାଦ ରାଜନୀତି ସପକ୍ଷରେ ଏନଡିଏ ନୁହେଁ । ତେଣୁ ନୀତିଶଙ୍କ ବଦଳରେ ପୁଅ ସିଏମ ହେବା ନେଇ ଆଲୋଚନା ବୋଧହୁଏ ହୋଇନାହିଁ । ହେଲେ ରାବ୍ରି ଦେବୀଙ୍କ ବୟାନ ପରେ ଗୋଟିଏ କଥା ସ୍ପଷ୍ଟ ହେଉଛି କି, ନୀତିଶଙ୍କୁ ପରିବାରବାଦ ରାଜନୀତିରେ ଛନ୍ଦି ଫାଇଦା ନେବାକୁ ପ୍ଲାନ୍‌ କରୁଛି ଆରଜେଡି । କଥା ହେଲା, ଲାଲୁ ପୁଅ ତେଜସ୍ବୀଙ୍କ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ସାମ୍ନାକୁ ଆଣିଛନ୍ତି । ଯେବେ ନୀତିଶ ଲାଲୁଙ୍କ ସହ ମିଶି ସରକାର କରିଥିଲେ ସେହି ସମୟରେ ନୀତିଶଙ୍କ ଉପରେ ଲାଲୁ କୁଆଡ଼େ ଚାପ ପକାଇଥିଲେ ନିଶାନ୍ତଙ୍କୁ ରାଜନୀତିକୁ ଆଣିବାକୁ । ସେଇଥି ପାଇଁ ନୀତିଶ କୁଆଡ଼େ ଲାଲୁଙ୍କ ହାତ ଛାଡ଼ି ମୋଦୀଙ୍କ ହାତ ଧରିଥିଲେ । ହେଲେ ରାବ୍ରିଙ୍କ ଏମିତି ବୟାନକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି । କୁହାଯାଉଛି କି, ସେ ଜାଣିଶୁଣି ଏମିତି ବୟାନ ଦେଇଛନ୍ତି। 

କଥା ହେଲା ଲାଲୁଙ୍କ ପରିବାରବାଦ ରାଜନୀତି ଓ ଜଙ୍ଗଲରାଜ ପ୍ରସଙ୍ଗରେ ଆଟାକ୍‌ କରି ନୀତିଶ ସରକାର କରିଛନ୍ତି । ଏବେ ଯଦି ସେ ପୁଅକୁ ରାଜନୀତି ମୈଦାନକୁ ଆଣୁଛନ୍ତି ତା’ହେଲେ ବିରୋଧୀଙ୍କୁ କାଉଣ୍ଟର ଆଟାକ୍‌ର ସୁଯୋଗ ମିଳିବ । ତେଣୁ ଇଚ୍ଛା ଥିଲେ ବି ନୀତିଶ ତାଙ୍କ ପୁଅକୁ ରାଜନୀତିରେ ସାମିଲ କରୁନାହାନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe