କନକ ବ୍ୟୁରୋ: ଜଳାତଙ୍କ ଏକ ସାଂଘାତିକ ରୋଗ । ସାଧାରଣତଃ ପାଗଳ କୁକୁର ଓ ବିଲୁଆ କାମୁଡ଼ିବା ଦ୍ୱାରା ଜଳାତଙ୍କ ହୋଇଥାଏ ବୋଲି ସମସ୍ତେ ଜାଣନ୍ତି, କିନ୍ତୁ ଘରେ ରଖୁଥିବା କୁକୁର ବି ସାଂଘାତିକ ହୋଇପାରନ୍ତି । ଘରେ ରଖୁଥିବା କୁକୁରଙ୍କ ଦେହରେ ବି ରେବିସ୍ ଭାଇରସ୍ ଥିବା ନେଇ ଅନେକ ରିସର୍ଚ୍ଚରୁ ଜଣାପଡ଼ିଛି । ନିକଟରେ ଉତ୍ତରପ୍ରଦେଶର ଜଣେ କବାଡ଼ି ଖେଳାଳିଙ୍କ ମୃତ୍ୟୁ ପରେ ଜଳାତଙ୍କକୁ ନେଇ ଭୟ ବଢ଼ିବାରେ ଲାଗିଛି । 

Advertisment

ସମୟ ସହ ତାଳ ଦେଇ ମଣିଷର ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି । ଅନ୍ୟ ପଶୁପକ୍ଷୀଙ୍କ ସହ ଘରେ ଦେଶୀ, ବିଦେଶୀ ପ୍ରଜାତିର କୁକୁର ପାଳିବା ସମସ୍ତଙ୍କ ସଉକ ପାଲଟିଛି । ଘରର ସଦସ୍ୟ ଭଳି ପୋଷା କୁକୁର ମାନେ ଖେଳାବୁଲା କରିବା ସହ ସମାନ ବିଛଣାରେ ମଧ୍ୟ ଶୋଇଥାନ୍ତି । ଘରେ ପଡ଼ିଥିବା ପ୍ଲାଷ୍ଟିକ ବଲ୍‌, ଡବା, ଟାୱେଲ୍‌ ଗୁଡ଼ିକୁ ମଧ୍ୟ କାମୁଡ଼ିଥାନ୍ତି । ଏହାଦ୍ୱାରା ସେମାନଙ୍କ ଲାଳ ମଣିଷଙ୍କ ସଂସ୍ପର୍ଶରେ ଆସିବା ସହ ଜଳାତଙ୍କ ରୋଗ ହେବାର ଆଶଙ୍କା ରହିଛି । କେବଳ ବୁଲା ଓ ପାଗଳ କୁକୁର ନୁହେଁ ବରଂ ଘରେ ରହୁଥିବା ପୋଷା କୁକୁରଙ୍କ ଠାରୁ ମଧ୍ୟ ଏହି ରୋଗ ବ୍ୟାପିବାର ସମ୍ଭାବନା ଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାଇ ଦେଇଛନ୍ତି । ନିକଟରେ ଉତ୍ତରପ୍ରଦେଶର ୨୨ ବର୍ଷୀୟ କବାଡ଼ି ଖେଳାଳି ବ୍ରିଜେଶ୍ ସୋଲାଙ୍କୀଙ୍କର ଜଳାତଙ୍କରେ ମୃତ୍ୟୁ ହେବା ପରେ ପୁଣିଥରେ ଜଳାତଙ୍କ ରୋଗ ଚର୍ଚ୍ଚାକୁ ଆସିଛି । 

ଦିନକୁ ଦିନ କୁକୁର କାମୁଡ଼ା ବଢ଼ିବା ସାଙ୍ଗକୁ ସଚେତନତା ଅଭାବରୁ ଜଳାତଙ୍କରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କେବଳ ପାଗଳ କୁକୁର କାମୁଡ଼ିଲେ ହିଁ ଜଳାତଙ୍କ ହୋଇଥାଏ ବୋଲି କିଛି ଲୋକଙ୍କ ମନରେ ଧାରଣା ରହିଛି । ଯେଉଁଥିପାଇଁ ପୋଷା କୁକୁର କାମୁଡ଼ିଲେ ଅନେକ ସମୟରେ ଲୋକମାନେ ଟିକାକରଣ କରାଇନଥାନ୍ତି, ଫଳରେ ଭବିଷ୍ୟତରେ ଏହା ବିପଦକୁ ଡାକି ଆଣିଥାଏ । ପ୍ରତିବର୍ଷ ଜଳାତଙ୍କ କାରଣରୁ ଦେଶରେ ୫ହଜାର ୭୦୦ ଜଣଙ୍କ ମୃତ୍ୟୁ ହେଉଥିବା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଏକ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି । ସେପଟେ ୨୦୩୦ ସୁଦ୍ଧା ଦେଶକୁ ଜଳାତଙ୍କ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର।

୨୦୩୦ ସୁଦ୍ଧା ‘ଜଳାତଙ୍କ ମୁକ୍ତ’ ଭାରତ 
-ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହାୟତାରେ ଜଳାତଙ୍କ ମୁକ୍ତ ଭାରତ ଗଠନ ଲକ୍ଷ୍ୟ
-ଜୋରଦାର ହେଉଛି ମାଗଣାରେ ଜଳାତଙ୍କ ପ୍ରତିରୋଧୀ ଟିକା ପ୍ରଦାନ
-କୁକୁର ନିରାକରଣ ଏବଂ ଟିକାକରଣ କାର୍ଯ୍ୟକ୍ରମ
-ଗ୍ରାମାଞ୍ଚଳରେ ସଚେତନତା ଅଭିଯାନ ସୃଷ୍ଟି
-ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା

ବୁଲା କୁକୁର ହେଉ କି ପୋଷା କୁକୁର, ଯେବେ ବି କାମୁଡ଼ାର ଶିକାର ହେଉଛନ୍ତି ତୁରନ୍ତ ଟିକାକରଣ କରାଇବା ଆବଶ୍ୟକ। ଯାହାଦ୍ବାରା ଭବିଷ୍ୟତରେ ଜଳାତଙ୍କର ଭୟାବହତାକୁ ଏଡ଼ାଇ ହେବ ।