କନକ ବ୍ୟୁରୋ : ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ମଣ୍ଡିରେ  ଧାନ ଓଦା ।  କେଉଁଠି ଧାନ ବସ୍ତା ତଳେ ପାଣି ପଶି ଯାଇଛି ତ ଆଉ କେଉଁଠି ସମ୍ପୂର୍ଣ୍ଣ ଭିଜି ଯାଇଛି। ଏପରିକି କେତେକ ସ୍ଥାନରେ ପାଦେ ପାଦ ପାଣି ଜମି ଥିବା ଦେଖାଯାଇଛି। ପଦାରେ ପଡିଛି ମଣ୍ଡି ଅବ୍ୟବସ୍ଥାର ଚିତ୍ର। କେବଳ ଏହି ତିନୋଟି ମଣ୍ଡି ନୁହେଁ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏମିତି ଅବସ୍ଥା ସୃଷ୍ଟି ହୋଇଛି। କୌଣସି ମଣ୍ଡିରେ ଧାନ ସୁରକ୍ଷିତ ଭାବେ ରଖିବା ପାଇଁ ଟେଣ୍ଟର ବ୍ୟବସ୍ଥା କରାଯାଇନଥିବାରୁ ଭିଜିଛି ଧାନ। ଖୋଲା ଆକାଶ ତଳେ ଚାଷୀଙ୍କ ଭାଗ୍ୟକୁ ଛାଡି ଦେଇଛି ପ୍ରଶାସନ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ। 
 
 ମଣ୍ଡିରେ ଧାନ ଓଦା ହେବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ସରକାରଙ୍କ ତ୍ରୁଟି ଯୋଗୁଁ ଚାଷୀ ହନ୍ତସନ୍ତ ହେଉଛି ବୋଲି କହିଛନ୍ତି ବିଜେଡି ବିଧାୟକ। ହେଲେ, ମଣ୍ଡି ଅବ୍ୟବସ୍ଥା ଯୋଗୁଁ ଧାନ ଭିଜିବା କଥାକୁ ମାନିବାକୁ ନାରାଜ ସମବାୟ ମନ୍ତ୍ରୀ। ମଣ୍ଡି ଖୋଲିବା ପୂର୍ବରୁ ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ରାଜ୍ୟ ସରକାର। ଯୋଗାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀଙ୍କ ସମେତ ରାଜ୍ୟ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ଗଣମାଧ୍ୟମ ଆଗରେ ମଣ୍ଡିକୁ ସୁବ୍ୟବସ୍ଥିତ କରାଯାଉଥିବା କହିଥିଲେ।  ହେଲେ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଚିତ୍ର ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶ୍ନ ଉଠୁଛି, ମଣ୍ଡି ଅବ୍ୟବସ୍ଥା ପାଇଁ ଦାୟୀ କିଏ? ଧାନ ରଖିବା ପାଇଁ କାହିଁକି କରାଯାଇନି ଟେଣ୍ଟ? ଚାଷୀଙ୍କୁ କ୍ଷତିପୂରଣ ଦେବେ ତ ସରକାର? 
 

Advertisment