ମସାଜ୍ କରିବାକୁ କାହାକୁ ବା ଭଲ ନଲାଗେ କହିଲେ । କାମ କରି ସାରା ଦେହ ବିନ୍ଧା ହେଉଥିବ ଆଉ ଠିକ୍ ସେତିକିବେଳେ କେହି ଜଣେ ଆସି ମୁଣ୍ଡରେ ହାତ ବୁଲାଇ ହାଲକା ମସାଜ୍ କରିଦେବେ ଓଃ କି ଶାନ୍ତି । ସେଲୁନରେ ମଧ୍ୟ ବାରିକ ଚୁଟି କାଟିଲା ପରେ ଜମାଣିଆ ମସାଜଟେ କରନ୍ତି ଏକଦମ୍ ଫୁର୍ତ୍ତିବାନ୍ ଲାଗେ । ହେଲେ ବର୍ତ୍ତମାନ ତ ସ୍ପା ସେଣ୍ଟରର ଯୁଗ କିନ୍ତୁ ଦାମ୍ ବି ସେମିତି । ସ୍ପାରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ବଦଳରେ ସେଲୁନକୁ ହିଁ ଲୋକ ମସାଜ୍ ପାଇଁ ଚାଲିଯାନ୍ତି । ଆଉ ବାରିକବାବୁ ଏମିତି ମୋଡାମୋଡି କରି ମସାଜ୍ କରନ୍ତି ଯେ ବେଳେବେଳେ ଡରି ଡରି କହିବାକୁ ପଡ଼େ , ଭାଇନା ଧିରେ ପବନ ଅଟକିଯିବ । ଆଉ ଉତ୍ତରରେ ଆସେ , ଏ କିଛି ହେବନି । ହେଲେ କେତେବେଳେ ଯେ ଏହା ଭାରି ପଡ଼ିଯିବ କିଏ ଜାଣେ । 

Advertisment

 barber_twists_neck

ଏମିତି ହିଁ ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡ଼ିଓରେ ଦେଖାଯାଉଛି ଯେ ବାରିକ ଗ୍ରାହକଙ୍କୁ ହେଡ୍ କ୍ରାକ୍ ମସାଜ୍ ଦେଉଛନ୍ତି । ପ୍ରଥମେ ମୁଣ୍ଡ ତାପରେ କାନ୍ଧରେ ହେଉଛି ମାଲିସ୍ । ଏହାପରେ ପ୍ରଥମ ମସାଜରେ କଷ୍ଟ ଅନୁଭବ କରୁଥିବା କଥା କହିଛନ୍ତି ଗ୍ରାହକ କିନ୍ତୁ ବାରିକ ଅଣଦେଖା କରି ଦ୍ୱିତୀୟଥର ମଧ୍ୟ କ୍ରାକ୍ ମସାଜ୍ କରନ୍ତି ଆଉ ଠିକ୍ ସେତିକିବେଳେ ଚେୟାରରେ ବସି ବସି ହିଁ ଗ୍ରାହକଙ୍କୁ ପାରାଲିସିସ୍ ଆଟାକ୍ କରୁଛି । ଚେୟାରରେ ବସି ସାମାନ୍ୟ ତଳକୁ ଖସିଆସୁଛନ୍ତି ଗ୍ରାହକ । ଏହି ଭିଡ଼ିଓଟି ଏତେ ମାତ୍ରାରେ ଭାଇରାଲ୍ ହୋଇଛି ଯେ ଲୋକ ହେଡ୍ ମସାଜ୍ କରିବାକୁ ଡ଼ର ଲାଗୁଥିବା କଥା ମଧ୍ୟ କହିଛନ୍ତି । 

Gujjar


ତେବେ ଏହି ଭିଡ଼ିଓଟିକୁ ୨୦୨୪ ନଭେମ୍ବର ୭ ତାରିଖ ଦିନ ସଞ୍ଜନା ଗଲରାନିଙ୍କ ଫେସବୁକ୍ ଆକାଉଣ୍ଟରେ ସେୟାର୍ କରାଯାଇଥିଲା । ଯାଞ୍ଚ୍ ପରେ ଜଣାପଡ଼ିଛି ଯେ ଏହି ଭିଡିଓଟି ସ୍କ୍ରିପଟେଡ୍ ଯାହାକୁ ଥାର୍ଡ ଆଏ ୟୁଟ୍ୟୁବ୍ ଚ୍ୟାନେଲ୍ ପ୍ରସ୍ତୁତ କରିଛି । ଏହି ଚ୍ୟାନେଲ୍ ଲୋକଙ୍କୁ ଶିକ୍ଷଣୀୟ ଏବଂ ସଚେତନ କରାଇବା ପାଇଁ ଏଭଳି ଅନେକ ଭିଡିଓ ପ୍ରସ୍ତୁତ କରୁଥିବା ମଧ୍ୟ ସୂଚନା ମିଳିଛି । ଏଥିରୁ ଜଣାପଡୁଛି କି ଭିଡ଼ିଓଟି ମିଛ କିନ୍ତୁ ଏଥିରେ ଦିଆଯାଇଥିବା ବାର୍ତ୍ତା ସତ । 

୨୦୧୭ ମସିହାରେ ଟାଇମ୍ସ ଅଫ୍ ଇଣ୍ଡିଆ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁସାରେ ଅଜୟ କୁମାର ନାମକ ଜଣେ ବ୍ୟକ୍ତି ହେଡ୍ ମସାଜ୍ କଲା ସମୟରେ ଏମିତି ଗୁରୁତର ହେଲେ ଯେ ତାଙ୍କୁ ହସ୍ପିଟାଲ୍ ଭେଣ୍ଟିଲେଟରରେ ଅନେକ ଦିନ ପର୍ଯ୍ୟନ୍ତ ରହିବାକୁ ପଡ଼ିଲା । ହେଡ୍ ମସାଜ୍ ବେକର ଜଏଣ୍ଟ୍ , ଟିସ୍ୟୁ , ଶୀର ଆଦି ପାଇଁ ଅସୁବିଧା ସୃଷ୍ଟି କରିପାରେ ଯାହା ପାରାଲିସିସ୍ ଭଳି ଗମ୍ଭୀର ସମସ୍ୟାକୁ ମଧ୍ୟ ଡାକିଆଣେ । 
 

Toi