କନକ ବ୍ୟୁରୋ : ଦୁଇ ଦଶନ୍ଧିରୁ ଅଧିକ ଦିନ ଧରି ଜେଲ ଦଣ୍ଡାଦେଶ କାଟିସାରିଲେଣି ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହାମ ଷ୍ଟେନ୍‌ସ ଓ ତାଙ୍କ ଦୁଇ ଶିଶୁପୁତ୍ର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦାରା ସିଂ। ଏହାରି ଭିତରେ ଦାରା ସିଂଙ୍କୁ ମୁକୁଳାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଏହାର ଉପରେ ବିଚାର କରି ରାଜ୍ୟ ସରକାରଙ୍କୁ ୪ ସପ୍ତାହର ସମୟ ଦେଇଛନ୍ତି। ସୁପ୍ରିମକୋର୍ଟରେ ଦାରା ସିଂଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି ଯେ 
ଆଜୀବନ ଦଣ୍ଡ ପାଇଥିବା ଦାରା ସିଂ ୨୪ ବର୍ଷ ଜେଲ ଦଣ୍ଡ କାଟିସାରିଲେଣି
ଏହା ମଧ୍ୟରେ ସେ ପାରୋଲରେ ମଧ୍ୟ ଯାଇନାହାନ୍ତି
ନିଜେ ଘଟାଇଥିବା ଅପରାଧ ପାଇଁ ଅନୁତପ୍ତ
ବୃଦ୍ଧାବସ୍ଥା ସହ ଅସୁସ୍ଥ ହେବାରେ ଲାଗିଛନ୍ତି

Advertisment

୧୯୯୯ରେ କେନ୍ଦୁଝରରେ ଗ୍ରାହାମ ଷ୍ଟେନ ପୋଡ଼ି ଘଟଣାରେ ଦାରାଙ୍କୁ ପ୍ରଥମେ ମୃତ୍ୟୁ ଦଣ୍ଡାଦେଶ ଶୁଣାଯାଇଥିଲା। ପରେ ହାଇକୋର୍ଟ ଏହାକୁ କୋହଳ କରି ଆଜୀବନ କାରାଦଣ୍ଡ କରିଥିଲେ। ହେଲେ ନିୟମ ଅନୁସାରେ, ଆଜୀବନ କାରାଦଣ୍ଡ ଆଦେଶ ପାଇଥିବା କିଛି କ୍ଷେତ୍ରରେ ୧୪ ବର୍ଷ ସଜା କାଟିବା ପରେ ଜେଲଦଣ୍ଡରୁ ମୁକ୍ତ ହେବା ପାଇଁ କୋର୍ଟରେ ଆବେଦନ କରିପାରିବେ। ଏହାକୁ ରେମିସନ କୁହାଯାଏ। ଯଦିଓ ଦାରା ୨୪ ବର୍ଷ ଜେଲ ଦଣ୍ଡ କାଟି ସାରିଲେଣି, ତାଙ୍କୁ ଜେଲରୁ ମୁକ୍ତି ମିଳିବ ନା ନାହିଁ। ଏମିତି ଚର୍ଚ୍ଚା ଭିତରେ ଯଦି ରାଜନୈତିକ ଅଭିସନ୍ଧି ରଖି ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର କମିଟି ଆବେଦନ ସପକ୍ଷରେ କୋର୍ଟଙ୍କୁ ଜଣାଇବେ, ତେବେ ଆଗାମୀ ଦିନରେ ଏହା ଆଉ ଏକ ବିବାଦ ମୁଣ୍ଡ ଟେକିପାରେ।

ଗ୍ରାହାମ ଷ୍ଟେନ୍ ପୋଡ଼ି ଭଳି ଜଘନ୍ୟ ଅପରାଧ ଘଟାଇଥିବା ଦାରାଙ୍କ ରେମିସନ୍ ଆବେଦନକୁ ନୂଆ ସରକାର କିଭଳି ବିଚାରକୁ ନେବେ, ତାହା ଉପରେ ପୁରା ରାଜ୍ୟର ନଜର ରହିବ।