କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସାନି ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଆଜି ଝାରସୁଗୁଡ଼ା ଛାଡିଛି । ୫ ଦିନ ତଦନ୍ତ କରିବା ପରେ ଆଜି ଝାରସୁଗୁଡ଼ାରୁ ଫେରିଛନ୍ତି କ୍ରାଇମ୍ବ୍ରାଞ୍ଚ ଟିମ୍ । ୫ ଦିନ ଭିତରେ ୧୪ରୁ ୧୫ ଜଣଙ୍କ ବୟାନ ରେକର୍ଡ କରାଯାଇଥିବା କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମେ ନବ ଦାସଙ୍କ ଘରକୁ ଯାଇ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହା ପରେ ବିମାନବନ୍ଦର କର୍ମଚାରୀ, ହସଲପିଟାଲ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫଙ୍କ ବୟାନ ରେକର୍ଡ କରାଯାଇଛି । ଗତକାଲି ସରୋଜ ସା’ ଓ ଜୀବନ ନାୟକଙ୍କୁ ଜେରା କରାଯାଇଥିଲା । ନବ ଦାସଙ୍କ ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଥିଲେ ସରୋଜ ସା’। ତାଙ୍କୁ କାଲି ଜେରା କରିଥିଲା ତଦନ୍ତକାରୀ ସଂସ୍ଥା । ତତ୍କାଳୀନ ଆଇଆଇସି ପ୍ରଦ୍ୟୁମ୍ନ ସ୍ବାଇଁଙ୍କ ବନ୍ଧୁକ ଛଡ଼ାଇ ଆଣିଥିଲେ ସରୋଜ ।
୨୦୨୩ରେ ନବ ଦାସ ହତ୍ୟା ପରେ ସରୋଜ ସା’ଙ୍କୁ ପଚରାଉଚରା ହୋଇନଥିଲା। ଯାହା ନିଜେ ମାନିଛନ୍ତି ସରୋଜ। ସେହିପରି ଘଟଣା ଦିନ ଗୁଳି ବାଜିଥିବା ବ୍ୟକ୍ତି ଜୀବନ ନାୟକଙ୍କର ମଧ୍ୟ ବୟାନ ରେକର୍ଡ କରିଛି କ୍ରାଇମବ୍ରାଂଚ । ନବଦାସଙ୍କ ପାଦ ଛୁଉଁଥିବାବେଳେ ଜୀବନଙ୍କ ବେକରେ ଗୁଳି ଘଷି ହୋଇ ଚାଲିଯାଇଥିଲା । ଆଗକୁ ଗୋପାଳକୁ ଜେରା କରାଯାଇପାରେ । ଚୌଦ୍ବାର ଜେଲରେ ରହିଥିବା ଗୋପାଳକୁ ପଚରାଉଚରା କରିପାରେ କ୍ରାଇମ୍ବ୍ରାଞ୍ଚ। ସେପଟେ ଗୋପାଳର ଓକିଲ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଷଡଯନ୍ତ୍ର ଯିଏ କରିଥିଲା, ସେ ଦିଗରେ ତଦନ୍ତ ହେଉନାହି ବୋଲି ଗୋପାଳଙ୍କ ଓକିଲ କହିଛନ୍ତି।