କନକ ବ୍ୟୁରୋ : ରାଜ୍ୟରେ ଭାଗଚାଷୀ ଚିହ୍ନଟ କରିବାକୁ ସଚିବସ୍ତରୀୟ କମିଟି ପୁନର୍ଗଠନ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ  ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି ୭ ଜଣିଆ କମିଟି ଗଠନ ହୋଇଛି। ଭାଗଚାଷୀ ଆଇନ ଆଣିବାକୁ ଏମାନେ ପରାମର୍ଶ ଦେବେ । ହେଲେ ପ୍ରଶ୍ନ ଉଠୁଛି ଦୀର୍ଘଦିନରୁ ଚର୍ଚ୍ଚା ହୋଇଆସୁଥିବା ଭାଗଚାଷୀଙ୍କୁ ଚିହ୍ନଟ ପ୍ରକ୍ରିୟା ସମ୍ଭବ ହେବ କି ? କୃଷି ବିଶେଷଜ୍ଞଙ୍କ କହିବା ହେଲା

Advertisment
  • ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଭାଗଚାଷୀ ଅଛନ୍ତି  
  • ଅନ୍ୟୁନ ୪୦% ଜମି  ଭାଗରେ ଚାଷ ହେଉଛି 
  • କିନ୍ତୁ କୌଣସି ଜମି ରେକର୍ଡ କିମ୍ବା ଭାଗଚାଷ ଅଧିକାରପତ୍ର ନାହିଁ 
  • ମୌଖିକ ଭାବେ ବର୍ଷବର୍ଷ ଧରି ମାଲିକଙ୍କ ଜମିରେ ଚାଷ କରୁଛନ୍ତି 
  • ଜମି ରେକର୍ଡ ନଥିବାରୁ ଋଣ, ଫସଲ ବୀମା ଓ କ୍ଷତିପୂରଣ ମିଳୁନି 

୨୦୧୬ରେ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ଏକ ଡ୍ରାଫ୍ଟ ବିଲ ପ୍ରସ୍ତୁତ କରିଥିବାବେଳେ, ବିଧାନସଭାରେ ଉପସ୍ଥାପନ କରାଯିବ ବୋଲି ଚର୍ଚ୍ଚା ହେଉଥିଲା ।  କିନ୍ତୁ ବିଶେଷଜ୍ଞଙ୍କ ଅଭିଯୋଗ ଅନୁସାରେ, ଅମଲାମାନେ ମୁଖ୍ୟତଃ ନିଜର ଚାଷଜମି ଭାଗରେ ଦେଇଥିବାରୁ, ମାଲିକାନା ହାତରୁ ଚାଲିଯିବା ଆଶଙ୍କା କରି ଏହାକୁ କରାଇ ଦେଲେନି । ଗତ ୨୪ ବର୍ଷର ବିଜେଡି ଶାସନରେ ଭୂ-ସଂସ୍କାର ଆଇନରେ ସଂଶୋଧନ ହୋଇପାରିଲାନି । ତେଣୁ ବର୍ତ୍ତମାନର ସରକାର ଏଗ୍ରିକଲ୍ଚର ଲ୍ୟାଣ୍ଡ ଲିଜ ଆକ୍ଟ ଆଣିବାକୁ ଦାବି ହୋଇଛି । ଏପଟେ ସରକାରଙ୍କ କମିଟି ପୁନର୍ଗଠନ ବିଜ୍ଞପ୍ତି ପରେ, ଭାଗଚାଷୀ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି। 

ବିଭିନ୍ନ ପ୍ରମୁଖ ଖବରକାଗଜରେ ଗତବର୍ଷ ଡିସେମ୍ୱର ୨୮ ତାରିଖରେ ବିଜ୍ଞାପନ ଦେଇ ଚାଷୀଙ୍କ ପଞ୍ଜୀକରଣ ଆରମ୍ଭ କରିଥିଲେ ମୋହନ ସରକାର । କିନ୍ତୁ ଏଥିପାଇଁ ଭୂ-ଲେଖ ପଟ୍ଟାକୁ ବାଧ୍ୟତାମୂଳକ କରାଯାଇଥିଲା। ସେତେବେଳେ ମନ୍ତ୍ରୀ କହିଥିଲେ, ଭାଗଚାଷୀ ତାଙ୍କ ସମସ୍ୟା ଜିଲ୍ଲାପାଳଙ୍କୁ ଜଣାଇଲେ ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ବିଚାର କରିବେ ।