କନକ ବ୍ୟୁରୋ:  ନାରୀ ନିଆଁ ଅଟକାଉଛି ଛାତ୍ର ସଂସଦ ନିର୍ବାଚନ । ଜୁଲାଇ ସରିବାକୁ ବସିଲାଣି କିନ୍ତୁ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଏଯାଏଁ ଛାତ୍ର ସଂସଦ ନିର୍ବାଚନ ନେଇ ପ୍ରସ୍ତତି ଆରମ୍ଭ ହୋଇନି । ଆଶାୟୀ ପ୍ରାର୍ଥୀଙ୍କ ଜୋସ୍ କମିଲାଣି ଓ ଦ୍ବନ୍ଦ୍ବରେ ରହିଲେଣି ଛାତ୍ରଛାତ୍ରୀ ଓ ଛାତ୍ର ସଙ୍ଗଠନ । 

Advertisment

ଜୁନ୍‌ ଯାଇ ଜୁଲାଇ ସରିବାକୁ ବସିଲାଣି, ନାମ ଲେଖା ସରି ପାଠପଢା ବି ଆରମ୍ଭ ହେଲାଣି । ହେଲେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଦେଖିବାକୁ ମିଳୁନି ପୂର୍ବ ପ୍ରସ୍ତୁତି। ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ବାଚନକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇନଥିବା ବେଳେ ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ ଓ ଛାତ୍ର ସଂଗଠନ । ନିର୍ବାଚନକୁ ନେଇ ଆଶାୟୀ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଯୋଶ ବି କମିବାରେ ଲାଗିଲାଣି।  ଗତ ସାଧାରଣ ନିର୍ବାଚନରେ ଏହାକୁ ଏକ ପ୍ରମୁଖ ମୁଦ୍ଦା କରି ନିର୍ବାଚନ ବୈତରଣୀ ପାର୍ ହୋଇଥିଲା ଭାରତୀୟ ଜନତା ପାର୍ଟି । ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ନିର୍ବାଚନ କରାଇବାକୁ ଦେଇଥିଲେ ପ୍ରତିଶ୍ରୁତି। 

ଗତ ସରକାରରେ ୮ବର୍ଷ ହେବ ଲଗାତର ଭାବେ ସ୍ଥଗିତ ରହିଆସୁଥିଲା କଲେଜ ନିର୍ବାଚନ । ପ୍ରଥମେ ବିୃଶଙ୍ଖଳା ଓ ପରେ କରୋନାକୁ ଆଳ କରି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖାଯାଇଥିଲା । ଛାତ୍ର ସମାଜର ସ୍ବରକୁ ଚାପିଦେବାକୁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର । ବର୍ତ୍ତମାନ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ସାମ୍ପ୍ରତିକ ସ୍ଥିତିକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି ସରକାର । ବିଶେଷଭାବେ ବାଲେଶ୍ବର ଏଫ.ଏମ୍ କଲେଜ ଘଟଣା ପରେ ଏହି ଆଶା ଏବେ ଏକପ୍ରକାର କ୍ଷୀଣ ହେଲା ଭଳି ଲାଗୁଛି । ନିର୍ବାଚନ ବନ୍ଦ ଆଶଙ୍କା ଭିତରେ ଏହାକୁ ଦୃଢ ବିରୋଧ କରିବା ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି ବିଭିନ୍ନ ଛାତ୍ର ସଂଗଠନ । ତେବେ ଏଠି ପ୍ରଶ୍ନ ଉଠୁଛି, ଚଳିତ ବର୍ଷ ବି ବନ୍ଦ ରହିବ କି ଛାତ୍ର ସଂସଦ ନିର୍ବାଚନ? ଏଫଏମ ଘଟଣା ପରେ ଘାରିଛି କି କ୍ୟାମ୍ପସ ସୁରକ୍ଷା ଚିନ୍ତା?