କନକ ବ୍ୟୁରୋ: ସୀମା ଟପିଛି ଇସ୍କନର ମନମାନୀ । ପୁଣି ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ବିଦେଶରେ ୨୩ ଦିନରେ ୨୩ ଟି ଭିନ୍ନ ଭିନ୍ନ ସହରେ ରଥଯାତ୍ରାର ଆୟୋଜନ କରୁଛି ବ୍ରିଟେନ ଇସ୍କନ । ବାରମ୍ବାର ବିରୋଧ ହେଲେ ବି ଇସ୍କନ ଉପରେ ପଡୁନି ପ୍ରଭାବ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ମହାପ୍ରଭୁ ଜନ୍ମବେଦିକୁ ଯାତ୍ରା କରିବାର ବିଧି ରହିଛି । ଏହି ତିଥିକୁ କୋଟି କୋଟି ଜଗନ୍ନାଥ ପ୍ରେମୀ ଚାହିଁ ବସିଥିବାବେଳେ ଇସ୍କନ ପାଇଁ କିନ୍ତୁ ଏହି ତିଥି ଅଲୋଡ଼ା ହୋଇଛି । ବ୍ରିଟେନ ଇସ୍କନ ପକ୍ଷରୁ ସୋସିଆଲ ମିଡିଆରେ ଜାରି ହୋଇଥିବା ସୂଚନା ଉପରେ ଟିକେ ନଜର ପକାନ୍ତୁ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ୨୩ ଟି ଭିନ୍ନ ଭିନ୍ନ ସ୍ଥାନରେ ୨୩ଟି ଭିନ୍ନ ଦିନରେ ଆୟୋଜିତ ହେଉଛି ରଥ ଯାତ୍ରା । ଇସ୍କନ ପକ୍ଷରୁ ବ୍ରିଟେନ ଓ ୟୁଆରଏଲ୍ ସହରରେ ମହାପ୍ରଭୁଙ୍କ ଅଦିନିଆ ରଥଯାତ୍ରା କରାଯିବ । ଇସ୍କନର ଏଭଳି କାର୍ଯ୍ୟକୁ ନେଇ ପୂର୍ବରୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଅସନ୍ତୋଷ ପ୍ରକାଶ କରି ଚିଠି ଲେଖିଛନ୍ତି । ଏପରି ନ କରିବାକୁ ଇସ୍କନ କର୍ତ୍ତୃପକ୍ଷକୁ ପୂର୍ବରୁ ଜଣାଇଛନ୍ତି । ତେବେ ଅଦିନିଆ ରଥଯାତ୍ରା କରି ଇସ୍କନ ଜଗନ୍ନାଥ ସଂସ୍କୃତି ଆଳରେ ବଡ ଆଘାତ ଦେଇଛି।
କାଲି ,ରବିବାର ଲଣ୍ଡନରେ ଇସ୍କନ ପକ୍ଷରୁ ଆୟୋଜନ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ଏହିପରି ବିଭିନ୍ନ ସହରରେ ଭିନ୍ନ ଭିନ୍ନ ଦିନରେ ରଥଯାତ୍ରା ହେବ । ଆବଶ୍ୟକତା ଅନୁଯାୟୀ ରଥ ଯାତ୍ରାର ଦିନ ପରିବର୍ତ୍ତନ କରାଯାଇପାରିବ ବୋଲି ନିଜ ସୋସିଆଲ ମିଡିଆରେ ଲେଖିଛି ଇସ୍କନ । ଅନେକ ବାଦ ବିବାଦ ପରେ ଲୁଧିଆନାର ଅଦିନିଆ ରଥଯାତ୍ରା ବନ୍ଦ ହୋଇଛି । କିନ୍ତୁ ଚାରିଆଡୁ ତୀବ୍ର ପ୍ରତିବାଦ ସତ୍ତ୍ବେ ବିଦେଶରେ ଅଦିନିଆ ରଥଯାତ୍ରାକୁ କାହିଁକି ବନ୍ଦ କରୁନାହିଁ ଇସ୍କନ ସେ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।